pakka

ରାବଣ ବଧ ସହ ରାବଣରାଜର ଅନ୍ତ

bbehera

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ରାମନବମୀ ଅବସରରେ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ରାମଲୀଳା ଅନୁଷ୍ଠିତ ହୋଇଯାଇଛି । କିଛି ସ୍ଥାନରେ ରାବଣ ନିଧନ ସହ ରାମଲୀଳାର ପରିସମାପ୍ତି ହୋଇଛି । ବୌଦ୍ଧ ଜିଲ୍ଲା ବାମଣ୍ଡା ଓ ସରସରାଠାରେ ପ୍ରଭୁ ରାଜୀବ ଲୋଚନ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଶ୍ରୀତୁଳସୀ ଦାସଙ୍କ ରଚିତ ଶ୍ରୀରାମଚରିତ ମାନସ ପାଠ କରାଯାଇଥିଲା । ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିକୁ ଭୁକ୍ଷେପ ନକରି ଶହ ଶହ ଭକ୍ତ ଶ୍ରୀରାମରସ ପାନ କରି ନିଜକୁ କୃତ୍ୟକୃତ୍ୟ ମନେ କରିଥିଲେ । ଚୈତ୍ର ଶ୍ରୀରାମ ନବମୀରେ ଶୁଭାରମ୍ଭ ହୋଇଥିବା ରମଲୀଳାର ଅନ୍ତିମ ଦିବସରେ ରାମରାବଣ ସମର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥଲା । ଗୋଟିଏ ଦିଗରୁ ପ୍ରଭୁ ଶ୍ରୀରାମ, ଭ୍ରାତା ଲକ୍ଷ୍ମଣ, ଭକ୍ତ ଶ୍ରୀହନୁମାନ, ବିଭୀଷଣ, କିସ୍କିନ୍ଧାପତି ସୁଗ୍ରୀବ ଆଦି ରଥାରୂଢ଼ ହୋଇଥିବା ବେଳେ ଅନ୍ୟ ପଟୁ ଅନ୍ୟାୟୀ, ଅଧର୍ମୀ ରାବଣ ତାର ଦୈତ୍ୟଦଳଙ୍କ ସହିତ ଯୁଦ୍ଧ କରିବାକୁ ଅଗ୍ରସର ହୋଇଥିଲେ । ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଆତସବାଜି ଏହି ସମର ଶୋଭାଯାତ୍ରାକୁ ଅତୀବ ଆକର୍ଷଣୀୟ କରିଥିଲା । ହଜାର ହଜାର ରାମପ୍ରେମୀ ଦର୍ଶକ ଏହି ଶୋଭାଯାତ୍ରାକୁ ଉପଭୋଗ କରିଥିଲେ । ଗ୍ରାମର ମଧ୍ୟସ୍ଥଳରେ ଉଭୟ ରାମ ଓ ରାବଣ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଅତ୍ୟନ୍ତ ଉପଭୋଗ୍ୟ ଥିଲା । ଜୟ ଶ୍ରୀରାମ ଧ୍ୱନିରେ ଦଶ ଦିଗ ପ୍ରକମ୍ପିତ ହୋଇ ଉଠିଥିଲା । ରାତ୍ରିର ଅନ୍ତିମ ପ୍ରହରରେ ରଙ୍ଗୀନ ମଞ୍ଚରେ ଅନୁଷ୍ଠିତ ହୋଇଥଲା ରଘୁପତି ଶ୍ରୀରାମଚନ୍ଦ୍ର ଓ ବିଂଶବାହୁଙ୍କ ମଧ୍ୟରେ ପ୍ରବଳ ସଂଗ୍ରାମ । ଅନ୍ୟାୟ, ଅଧର୍ମ, ଅତ୍ୟାଚାର, ଅନାଚାରର ପ୍ରତୀକ ଦଶାନନ ରାବଣକୁ ପ୍ରଭୁ ଶ୍ରୀବିଷ୍ଣୁବତାର ଶ୍ରୀରାମ ବଧ କରିବାର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରି ଦେଇଥିଲା । ଦଶାଶିର ରାବଣ ନିଜର ଅନ୍ତିମ ମୁହୂର୍ତ୍ତରେ ପ୍ରଭୁଙ୍କୁ ତାର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରି ମୁକ୍ତି ନିମିତ୍ତ ବ୍ୟାକୁଳିତ ହୋଇ ଉଠିଥିଲା । ପ୍ରଭୁ ରାଜୀବ ଲୋଚନ ଶ୍ରୀରାମ ବିଂଶତିବାହୁକୁ ମୁକ୍ତି ପ୍ରଦାନ କରିଥିଲେ । ଲଙ୍କାଧିପତି ମୋକ୍ଷପ୍ରାପ୍ତ କରି ବୈକୁଣ୍ଠପୁରକୁ ଗମନ କରିବା ପରେ ରାମଲୀଳାର ପରିସମାପ୍ତି ହୋଇଥଲା । ଯୁଗେ ଯୁଗେ ଅନ୍ୟାୟୀ ଅତ୍ୟାଚାରୀ ମାନଙ୍କ ବିନାଶ ହୋଇଥାଏ ରାମଲୀଳାରେ ଏହାର ଝଲକ ଦେଖିବାକୁ ମିଳେ ।

jay balangir
Leave A Reply

Your email address will not be published.

eleven + 13 =