
- ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଓ ଗୁଡଭେଲା ବ୍ଲକର ଲୋକଙ୍କ ବହୁଦିନର ଦାବି ପୂରଣ ହେବାକୁ ଯାଉଛି । ଦେଓଗାଁ ବ୍ଲକର ଗୌରଗୋଠ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡିଠାରୁ ଗୁଡଭେଲା ବ୍ଲକର ମାଢେକେଲା ପଞ୍ଚାୟତର ଆଟଗାଁକୁ ସଂଯୋଗ କରିବାକୁ ତେଲନଦୀରେ ନିର୍ମାଣ ହେବ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବ୍ରିଜ । ୬୧୫ ମିଟର ବିଶିଷ୍ଟ ତଥା ପ୍ରାୟ ୭୫ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହାକୁ ନିର୍ମାଣ କରିବାକୁ ରାଜ୍ୟସରକାର ଅନୁମୋଦନ କରିଛନ୍ତି । ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପତ୍ରସଂଖ୍ୟା -୨୮୫୪୧୬୦୦୫୫୨୦୨୬/ଆରଡି ତା.୧୯.୫.୨୦୨୬ରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଶୁଭଦର୍ଶିନୀ ସ୍ୱାଇଁ ଆରଡି ବିଭାଗର ଇଞ୍ଜିନିୟରିଂ ଇନ୍ଚିଫ୍(୨)ଙ୍କୁ ଦେଇଥିବା ପ୍ରକଳ୍ପ ଅନୁମୋଦିତ ପତ୍ରରେ ୧ ନମ୍ବରରେ ଏହି ରତାଖଣ୍ଡି-ଆଟଗାଁ ତେଲନଦୀ ବ୍ରିଜ ସ୍ଥାନିତ ହୋଇଛି । ସେହିପରି ବଲାଙ୍ଗିର ନିର୍ବାଚନମଣ୍ଡଳୀର ସଦରବ୍ଲକର କୁଟୁମଡୋଲା-ଦୁଆନପାଲି ବ୍ରିଜ ମଧ୍ୟ ଅନୁମୋଦିତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ରାଜ୍ୟର ଅନୁମୋଦିତ ୨୦ଟି ବ୍ରିଜ ମଧ୍ୟରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଦୁଇଟି, ଲୋଇସିଂହା ନିର୍ବାଚନମଣ୍ଡଳୀର ୩ଟି ଓ ଟିଟିଲାଗଡ ନିର୍ବାଚନମଣ୍ଡଳୀର ଗୋଟିଏ ବ୍ରିଜ ନିର୍ମାଣ ପାଇଁ ଅନୁମୋଦିତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲାର ଦେଓଗାଁ ଓ ଗୁଡଭେଲା ଅଞ୍ଚଳବାସୀ ବହୁବର୍ଷ ହେଲା ଏହି ସ୍ଥାନରେ ତେଲନଦୀ ଉପରେ ବ୍ରିଜ ର୍ନିର୍ମାଣ ପାଇଁ ଦାବି କରି ଆସୁଥିଲେ । ଏହି ବ୍ରିଜ ନିର୍ମାଣ ହେଲେ ବଲାଙ୍ଗିର ଜିଲ୍ଲା ତଥା ସହର ସହିତ ଗୁଡଭେଲା ବ୍ଲକର ଉପାନ୍ତ ଗୁଡଭେଲା, ଘୁନା, ବିରାମୁଡା, ଜାମୁଟ, ଗମ୍ଭାରୀଗୁଡା, ମାଢେକେଲା ପଞ୍ଚାତ ସହିତ ପ୍ରାୟ ୭ଟି ପଞ୍ଚାୟତର ଲୋକେ ଯାତାୟତର ସୁବିଧା ହୋଇପାରିବ । ଏହି ବ୍ରିଜ ଯୋଗୁଁ ବଲାଙ୍ଗିର ଜିଲ୍ଲା ସହିତ ବୌଦ୍ଧ, କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ସିଧାସଳଖ ସଂଯୋଗ ହୋଇପାରିବ । ରାଜ୍ୟସରକାରଙ୍କ ଏହି ପଦକ୍ଷେପ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦେଓଗାଁର ପୂର୍ବତନ ବ୍ଲକଅଧ୍ୟକ୍ଷ ତଥା ଜିଲ୍ଲାକେନ୍ଦ୍ରସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଓ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଐତିହାସିକ ପଦକ୍ଷେପ କେବଳ ଦେଓଗାଁ ବ୍ଲକପାଇଁ ନୁହଁ ବଲାଙ୍ଗିର ଜିଲ୍ଲାର ବିକାଶର ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ଏକ ପ୍ରେସ ବିବୃତିରେ ଶ୍ରୀ ମେହେର ଜଣାଇଛନ୍ତି ।