jayashree

ଛତୁଆ ପ୍ୟାକେଟ୍‌ରେ ପୋକ ସାଲୁବାଲୁ

ବରଗଡ, (ମୁନ୍ନା ସାହୁ) : ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି । ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ବରଗଡ଼ ସହରରୁ ଆସିଛି । ହାତରେ ନିମ୍ନମାନର ଛତୁଆ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରଗଡ଼ର ବିଭିନ୍ନ ପଡାର ଶହ ଶହ ମହିଳା ଓ ଯୁବତୀ । ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଆଗରେ ଛତୁଆ ସହ ବିଭିନ୍ନ ଖାଦ୍ୟ ପ୍ୟାକେଟ୍‌ ଖୋଲି ଦେଖାଇବା ସହ ଏହାର ବିରୋଧ କରିଛନ୍ତି ମହିଳାମାନେ । ସହରର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଣ ହେଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର ଓ ବଣ୍ଟନ କରାଯାଉଥିବା ମୁଢିରେ ବାଲି ମିଶ୍ରଣ କରି ବଣ୍ଟନ କରାଯାଉଛି । ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ଏଭଳି ଖାଦ୍ୟ ଯୋଗାଇ ଜୀବନ ସହ ଖେଳ ଖେଳୁଥିବା ସଂସ୍ଥା ଉପରେ ଆକ୍ସନ ନେବାକୁ ଦାବି କରିଛନ୍ତି । ସରକାର ପୋଷଣ ଯୋଜନାରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ମହତ ଯୋଜନା କରୁଛନ୍ତି । କିନ୍ତୁ ଉତ୍ପାଦନକାରୀ ସଂସ୍ଥା ଛତୁଆ, ମୁଢ଼ି, ସୁଜି ଓ ଅନ୍ୟାନ୍ୟ ଖାଦ୍ୟରେ ଅପମିଶ୍ରଣ କରି ଏହାର ଗୁଣବତ୍ତାକୁ ଅତ୍ୟନ୍ତ ନିମ୍ନମାନର ପ୍ରସ୍ତୁତ କରୁଛନ୍ତି । ଏହାକୁ ଖାଇ ଶିଶୁମାନେ ଅସୁବିଧା ଅନୁଭବ କରିବା ସହ ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ବୋଲି ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ସରକାରଙ୍କ ପୋଷଣ ଯୋଜନାର ଉଦ୍ଦେଶ୍ୟକୁ ବାଧାପ୍ରାପ୍ତ କରାଯାଉଛି ବୋଲି ମହିଳାମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛତୁଆ ନିର୍ମାଣ କାରି ସଂସ୍ଥା ଉପରେ ତୁରନ୍ତ ଆକ୍ସନ ନେବାକୁ ଦାବି କରାଯାଇଛି । ଅନ୍ୟପଟେ ଏହାର ତଦନ୍ତ କରାଯିବ ଓ ଆକ୍ସନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.