centurian jitm

ନୂତନ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା

nschool

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଅମ୍ବାଦଳା ଠାରେ ମହାପ୍ରଭୁ ଦଧିବାମନଙ୍କ ନୂତନ ବିଗ୍ରହ ସ୍ଥାପନ ହୋଇଯାଇଛି । କାର୍ୟ୍ୟକ୍ରମ ଚାଲିଥିବା ବେଳେ ଆଧ୍ୟାତ୍ମିକ ଚେତନା ଲୋକଙ୍କ ମନରେ ଜାଗ୍ରତ ହୋଇଛି । ଏହି ପବିତ୍ର ମୁହୂର୍ତ୍ତରେ ଅମ୍ବାଦଳା ଅଞ୍ଚଳରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସାରା ପରିବେଶ । ଅମ୍ବାଦଳା ଓ ଏହାର ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ମହାପ୍ରଭୁ ଦଧିବାମନଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ବିଗତ ଦୁଇ ମାସ ପୂର୍ବରୁ ଅମ୍ବାଦଳା ଜଗନ୍ନାଥ ମନ୍ଦିରରେ ଏକ ଅଘଟଣ ଘଟି ମହାପ୍ରଭୁ ଦଧିବାମନଙ୍କ ମୂତ୍ତି ପ୍ରତିମାରେ ନିଆଁ ଲାଗି ଯାଇଥିଲା । ଅମ୍ବାଦଳା ଦଧିବାମନ କମିଟି ସଦସ୍ୟ, ବ୍ରାହ୍ମଣ ସମାଜ, ପୋଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ଉଭୟ ଆଲୋଚନା ପରେ ଶ୍ରୀକ୍ଷେତ୍ର ପୁରୀ ମୁକ୍ତି ମଣ୍ଡପର ପରାମର୍ଶ କ୍ରମେ ପୁରୀ ଜଗନ୍ନାଥ ମନ୍ଦିରରେ ଦଧିବାମନଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଆଜି ପବିତ୍ର ଦିନରେ ମହାପ୍ରଭୁଙ୍କ ବିଗ୍ରହ ଅମ୍ବାଦଳା ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ପରିସରରେ ପହଞ୍‌ଞ୍ଚିବା ପରେ ସେଠାରେ ପୁରୋହିତ ମାନଙ୍କ ଦ୍ଵାରା ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସେଠାରୁ ନାମ କୀର୍ତ୍ତନ, ବାଜା ବଜାଇ, ବାଣ ଫୁଟାଇ ମହାପ୍ରଭୁଙ୍କ ଆଗମନଙ୍କୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ମନ୍ଦିର ନିକଟରେ ପହଞ୍‌ଞ୍ଚିବା ପରେ ପୁରୁଣା ମନ୍ଦିରରେ ମହାପ୍ରଭୁ ଦଧିବାମନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ଅମ୍ବାଦଳା ସହରର ବିଭିନ୍ନ ସ୍ଥାନରେ ମହିଳାମାନେ ମହାପ୍ରଭୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରିଥିଲେ । ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଥିଲା ପୁରା ଅଞ୍ଚଳ । ଅମ୍ବାଦଳା ଟାଉନ ଠାକୁରାଣୀ ମନ୍ଦିର ନିକଟରେ ଭକ୍ତମାନଙ୍କୁ ପଣା ବଣ୍ଟନ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିବା ସମସ୍ତ ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.