
ରାଉରକେଲା, (କେପିଏନ୍ଏସ୍) : ମାନବ ସେବା ହେଉ କି ଗୋସେବା, ପ୍ରତ୍ୟେକ ସେବା ପଛରେ ରହିଥାଏ ନିର୍ମଳ ହୃଦୟ ଓ ନିଃସ୍ୱାର୍ଥ ଭାବନା । ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ରାଉରକେଲା ସ୍ମାର୍ଟ ସିଟିରେ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ- ‘ଗୋମାତାଙ୍କ ନାମରେ ଗୋଟିଏ ରୁଟି’। ସେବାଭାବୀ ସଂସ୍ଥାର ପ୍ରତିଷ୍ଠାତା ସଞ୍ଜୟ ସାହୁ ଓ ସନୋଜ ଶର୍ମାଙ୍କ ଆହ୍ୱାନରେ ଗୋମାତାଙ୍କ ସେବା ପାଇଁ ଆଗେଇ ଆସୁଛନ୍ତି ସହରର ଅନେକ ସେବାପ୍ରେମୀ। ରାଉରକେଲାର ବାସନ୍ତୀ କଲୋନୀ, ମାଲଗୋଦାମ ବସ୍ତି, ଗୋପବନ୍ଧୁପାଲି, ମଧୁସୂଦନପାଲି, ବିଭିନ୍ନ ସେକ୍ଟର, ଜଗଦା, ସିଭିଲ୍ ଟାଉନସିପ୍ ଓ ଛେଣ୍ଡ କଲୋନୀ ଭଳି ଅଞ୍ଚଳରେ ଘର ଘର ବୁଲି ରୁଟି ସଂଗ୍ରହ କରାଯାଉଛି । ପରେ ସଂଗୃହୀତ ରୁଟି ଗୋମାତାଙ୍କୁ ଖାଇବାକୁ ଦିଆଯାଇ ସେବାର ଏହି ମହତ୍ ପରମ୍ପରାକୁ ଆଗକୁ ବଢ଼ାଯାଉଛି। ସେବା ପାଇଁ ଯେ, କେବଳ ଅଧିକ ସମୟର ଆବଶ୍ୟକତା ରହିଛି, ତାହା ନୁହେଁ। ମନରେ ଇଚ୍ଛାଶକ୍ତି, ହୃଦୟରେ କରୁଣା ଓ କାର୍ଯ୍ୟରେ ନିଷ୍ଠା ଥିଲେ ବ୍ୟସ୍ତତା ମଧ୍ୟରେ ବି ସେବା କରିହୁଏ। ଏହାର ଏକ ଉଦାହରଣ ସିଭିଲ୍ ଟାଉନସିପ୍ରେ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଅନିଲ କୁମାର ମହାନନ୍ଦିଆ ନିଜର ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରୁ ସମୟ ବାହାର କରି ଗୋମାତାଙ୍କୁ ଗୋଟିଏ ରୁଟି ଖାଇବାକୁ ଦେବା ପରେ ନିଜ କର୍ମକ୍ଷେତ୍ରକୁ ଯାଇଥିଲେ। ତାଙ୍କର ଏହି ପଦକ୍ଷେପ ଛୋଟ ହେଲେ ମଧ୍ୟ ଏହା ଏକ ବଡ଼ ସାମାଜିକ ବାର୍ତ୍ତା ଦେଉଛି—ସେବା ପାଇଁ ଆବଶ୍ୟକ ହେଉଛି ଆଗ୍ରହ ଓ ସମର୍ପଣ। ତେଣୁ ଆସନ୍ତୁ, ଆମେ ସମସ୍ତେ ଏକ ସଂକଳ୍ପ ନେବା। ପ୍ରତିଦିନ ନିଜ ଘରୁ ଗୋମାତାଙ୍କ ପାଇଁ ଗୋଟିଏ ରୁଟି ବାହାର କରିବା ଏବଂ ଏହି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରିବା। କାରଣ ଗୋଟିଏ ରୁଟି କେବଳ ଖାଦ୍ୟ ନୁହେଁ, ଏହା କରୁଣା, ଶ୍ରଦ୍ଧା ଓ ସେବାଭାବର ଏକ ପ୍ରତୀକ। ଗୋମାତାଙ୍କ ନାମରେ ଗୋଟିଏ ରୁଟି-ଆସନ୍ତୁ, ସେବାର ଏହି ସଂକଳ୍ପକୁ ପ୍ରତ୍ୟେକ ଘରେ ପହଞ୍ଚାଇବା।