ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରକୁ ପ୍ରାଥମିକତା : ସମରେନ୍ଦ୍ର

  • ଗତ ଦଶ ବର୍ଷର ବିକାଶ ହେଉଛି ଆମ ରିପୋର୍ଟ କାର୍ଡ
  • ବିଧାୟକ ଓ ସାଂସଦ ପାଣ୍ଠିରେ ବିକାଶକୁ ବାନ୍ଧି ରଖିଥିଲେ ରାଜପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରକୁ ପ୍ରାଥମିକତା ଦେବା ସଂପର୍କରେ ଅଭିମତ ରଖିଛନ୍ତି ଆଜି ସମରେନ୍ଦ୍ର । ବଲାଙ୍ଗିର ସହର ଓ ଏହାର ଆଖପାଖ ଅଞ୍ଚଳ ଧୀରେ ଧୀରେ ଯୁବକ ଶୂନ୍ୟ ହେଇଯାଉଛି । ଅନେକ ପିଲା ଶିକ୍ଷା ପାଇଁ ବାହାର ରାଜ୍ୟକୁ ଯାଉଥିବା ବେଳେ ଅନେକେ ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ଏସବୁ ମୂଳରେ ଭୁଷୁଡି ଯାଇଥିବା ସରକାରୀ ଶିକ୍ଷା ବ୍ୟବସ୍ଥା ଓ ଆମ ଜିଲ୍ଲାରେ ସରକାରଙ୍କ ଶିଳ୍ପ ପ୍ରତିଷ୍ଠାରେ ଉଦାସୀନତା ଦାୟୀ । ଆହୁରି ମଧ୍ୟ ଚିକିତ୍ସା କ୍ଷେତ୍ରରେ ଡାକ୍ତର ତଥା ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଲୋକେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ତୁଲେଇ ନପାରି ଘୋର ଅସୁବିଧା ଭୋଗୁଛନ୍ତି । ତେଣୁ ଏସବୁ ସଙ୍କଟରୁ ଆମ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗାମୀ ଦିନରେ ଲୋକେ ଯେପରି ଉତ୍ତମ ଶିକ୍ଷା, ଉତ୍‌ତମ ଚିକିତ୍ସା ଓ ରୋଜଗାର ପାଇବେ, ଏଥିପ୍ରତି ପ୍ରାଥମିକତା ରହିବ ବୋଲି ଆଜି ଦେଓଗାଁ ବ୍ଲକର ଉଡାର, ଜରାସିଂହା ଓ ସାଲେପାଲି ପଂଚାୟତରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । କଂଗ୍ରେସ ନେତା କଣ୍ଠେଶ୍ୱର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ସମରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ଏଠାକାର ରାଜ ପରିବାର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବିଧାୟକ, ସାଂସଦ ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ, କିନ୍ତୁ ବଲାଙ୍ଗିର ପାଇଁ କୌଣସି ବୃହତ ପ୍ରକଳ୍ପ ନଆଣି ସେମାନେ କେବଳ ବିଧାୟକ ଓ ସାଂସଦ ପାଣ୍ଠିରେ ବଲାଙ୍ଗିରର ବିକାଶକୁ ସୀମିତ ରଖିଦେବା ବହୁତ ହାସ୍ୟାସ୍ପଦ ଅଟେ । ଏଣୁ ଆଜିର ଏହି ଜନ ଆଶୀର୍ବାଦ ସଭାରେ ଜନସାଧାରଣଙ୍କୁ ମୁଁ ଅନୁରୋଧ କରିବା ପାଇଁ ଚାହିଁବି ଏପରି ନେତାଙ୍କୁ ଆପଣମାନେ ଆଗାମୀ ନିର୍ବାଚନରେ ବରଖାସ୍ତ କରନ୍ତୁ, କାରଣ ଏମାନଙ୍କ ହାତରେ ଅଂଚଳର ବିକାଶ କେବେ ବି ସମ୍ଭବ ନୁହେଁ ବୋଲିି ସମରେନ୍ଦ୍ର କହିଛନ୍ତି । ଜନ ଆଶୀର୍ବାଦ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୨ଟି ଭୋଟ୍‌ ହାତ ଚିହ୍ନରେ ଦେବାକୁ ନିବେଦନ କରିଥିଲେ । ତା ସହ ଏହା ମଧ୍ୟ କହିଥିଲେ ଯେ, ନିର୍ବାଚନରେ ଠିକ୍ ଲୋକ ନିର୍ବାଚିତ ହେଲେ ଅଂଚଳର ବିକାଶ ପ୍ରକ୍ରିୟା ନିରନ୍ତର ଜାରି ରହିବ । ଭୁଲ ଲୋକଙ୍କ ହାତରେ କ୍ଷମତା ରହିଲେ, ବଲାଙ୍ଗିର ପୁଣି ୨୪ ବର୍ଷ ତଳକୁ ଫେରିଯିବ ବୋଲି କହିବା ସହ କଂଗ୍ରେସ ସରକାରକୁ ଆସିଲେ ଧାନ କ୍ୱିଣ୍ଟାଲ ୩ ହଜାର ଟଙ୍କା, ମାସିକ ୨୦୦ ୟୁନିଟ୍‌ ବିଜୁଳି ମାଗଣା, ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ମହିଳାଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା, ଦଳିତ ମହିଳାଙ୍କୁ ୩ ହଜାର ଟଙ୍କା, ଗ୍ୟାସ ସିଲିଣ୍ଡର ଦାମ ୫୦୦ ଟଙ୍କା, ସାମାଜିକ ସୁରକ୍ଷା ଅନ୍ତର୍ଗତ ମାସିକ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି, ବେକାରୀ ଭତ୍ତା ୩ ହଜାର ଟଙ୍କା, ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କଂଗ୍ରେସ ଦଳ ତରଫରୁ ଗ୍ୟାରେଣ୍ଟି ଦେଇଥିଲେ । ଏହି ନିର୍ବାଚନୀ ସଭାମାନଙ୍କରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜନ୍ମେଜୟ ସାହୁ, କାଙ୍ଗାଳି ସାହୁ, ଅଚ୍ୟୁତ ପଧାନ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.

9 + 13 =