jayashree

ଅର୍ଣ୍ଣବ ପ୍ରଭାବ ଆଶଙ୍କାରେ ଅନେକ ପ୍ରସ୍ତୁତି

ଜୟପାଟଣା, (ଶେଷଦେବ ବେହେରା) : ଅର୍ଣ୍ଣବର ତାଣ୍ଡବକୁ ନେଇ ଦକ୍ଷିଣ ଓଡିଶାରେ ଲୋକଙ୍କ ମଧ୍ୟରେ ଅନେକ ଆଶଙ୍କା ଉଙ୍କି ମାରୁଥିବା ବେଳେ ପ୍ରଶାସନିକ ସ୍ତରରେ ସରକାରୀ ପ୍ରସ୍ତୁତି, ବାତ୍ୟାର ଭୟାବହତାକୁ ଦ୍ୱିଗୁଣିତ କରି ସାରିଲାଣି । ଯଦି ଅର୍ଣ୍ଣବର ବାସ୍ତବତା କଳାହାଣ୍ଡି ଜିଲ୍ଲାକୁ ସ୍ପର୍ଶ କଲେ କୃଷି କ୍ଷେତ୍ର ସାଙ୍ଗକୁ ପନିପରିବା ଚାଷ ମଧ୍ୟ ବହୁଳ ପରିମାଣରେ ଉଜୁଡ଼ି ଯିବାର ଚାଷୀ ମାନେ ଆଶଙ୍କା କରି ସାରିଲେଣି । ଅନ୍ୟ ପଟରେ ଆସନ୍ନ ଅର୍ଣ୍ଣବକୁ ଦେଖି ଇନ୍ଦ୍ରାବତୀ କତୃପକ୍ଷ ମଧ୍ୟ ବିଗତ ଦିନର ଭୁଲକୁ ସୁଧାରିବା ପାଇଁ ପ୍ରସ୍ତୁତି ଜୋରଦାର କରିଥିବା ସୂଚନା ମିଳିଛି । ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳପତ୍ତନକୁ ଦେଖି ସମସ୍ତେ ଆଶ୍ୱସ୍ତ ରହିଥିବା ବେଳେ ଆସନ୍ନ ଅର୍ଣ୍ଣବର ପ୍ରଭାବକୁ ପୂର୍ବାନୁମାନ କରି ଗତ ୨୫ତାରିଖ ଅର୍ଥାତ୍‌ ରବିବାର ଚାରିଟା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଦୁଇଟି ଗେଟ ଖୋଲି ଜଳସ୍ତର ୬୩୯.୯୧୦ମିଟର ରହିଥିବା ସତ୍ତ୍ବେ ୧୩୩କୁମେକ୍ସ୍ ଜଳ ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ାଗଲା । ଏହା ଗତ ବନ୍ୟାର ସୁଧାର ଆଣିବା ପାଇଁ ସର୍ବୋଚ୍ଚ ସୀମାରୁ ପ୍ରାୟ ଦୁଇ ମିଟର କମ୍ ପାଣି ଥାଇ ମଧ୍ୟ ତରବରିଆ ସ୍ଥିତିରେ ନଦୀ ଗର୍ଭକୁ ପାଣି ଛଡ଼ାଗଲା ବୋଲି ଆଲୋଚନା ହେଉଛି । ଅନ୍ୟ ପଟରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ୬୦୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ସହ କେନାଲ ମାନଙ୍କର ଜଳ ସେଚନକୁ ସଙ୍କୁଚିତ କରି ହାତୀ ନଦୀ ଗର୍ଭକୁ ୧୮୦କୁମେକ୍ସ ଜଳ ଛଡ଼ା ଯାଉଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଗତ ମାସର ଲଘୁଚାପ ଜନିତ ବର୍ଷାରେ ଉଭୟ ହାତୀ ଓ ଇନ୍ଦ୍ରାବତୀର ପାରିପାର୍ଶ୍ବିକ କ୍ଷେତ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଅନେକ କ୍ଷତି ସହିବାକୁ ପଡ଼ିଥିବା ବେଳେ କେତେକ ଗାଁର ସ୍ୱାଭାବିକ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଅଦ୍ୟାବଧି ଜୟପାଟଣା ଅଞ୍ଚଳରେ ବର୍ଷା ଆସି ନ ଥିବା ବେଳେ ମେଘାଚ୍ଛନ୍ନ ହୋଇଥିବା ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ମୁକାବିଲା ପାଇଁ ଜୟପାଟଣା ବ୍ଲକ ଆନୁକୂଲ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ତଳି ଅଞ୍ଚଳର ସମସ୍ତ ଗାଁକୁ ସତର୍କ କରାଯାଇଥିବା ବେଳେ ବନ୍ୟା କ୍ଲିଷ୍ଟ ଗାଁ ମାନଙ୍କର ଲୋକଙ୍କୁ ଆବଶ୍ୟକ ପଡିଲେ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବିଡିଓ ଧର୍ମରାଜ୍ ମାଝୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.