jayashree

ବଲାଙ୍ଗିର ବ୍ଲକରେ ରାସ୍ତାକାମରେ ଦୁର୍ନୀତି

  • ପୋଲିସର ଅଭିଯୋଗ ଦାଖଲ, ଦୋଷୀ ବିରୁଦ୍ଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ବର୍ଷରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସଦାଇପାଲି ପଂଚାୟତର ନରସିଂହ ନଗରରେ ୪୦ରୁ ଅଧିକ ପରିବାରଙ୍କୁ ଘରଡିହ ଚିହ୍ନଟ କରାଯାଇ ସେମାନଙ୍କୁ ଘର ପାଇଁ ଜମି ଯୋଗାଇ ଦିଆଯାଇଥିଲା । କିନ୍ତୁ ରାସ୍ତା ନ ଥିବାରୁ ଲୋକେ ସେଠାରେ ବାସଗୃହ ନିର୍ମାଣ କରିପାରି ନଥିଲେ । ତେଣୁ ବିଧାୟକ ପାଣ୍ଠିରୁ ସେମାନଙ୍କୁ ମାଟି ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଥିଲା । ଦୁଃଖର ବିଷୟ କାର୍ଯ୍ୟାଦେଶ ପରେ ସେହି କାର୍ଯ୍ୟକୁ ଚଞ୍ଚକତା କରି ତତ୍କାଳିନ ବିଡିଓ, ଏ.ଇ. ଏବଂ ଜେଇ କାର୍ଯ୍ୟାଦେଶର ବିନା ଖାରଜରେ କିମ୍ବା କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ନ କରି ସେହି ଉନ୍ନୟନ ମୂଳକ ପ୍ରକଳ୍ପର ଅନୁଦାନ ରାଶିକୁ ବାଟମାରଣା କରିଛନ୍ତି । ତେଣୁ ଏହି ଘଟଣାରେ ସଂପୃକ୍ତ ବିଡିଓ, ଏଇ ଏବଂ ଜେଇଙ୍କ ବିରୁଦ୍ଧରେ ମୂଳ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ପୋଲିସରେ ଏଫ୍‌ଆଇଆର ଦର୍ଜ କରିଛନ୍ତି । ଏଣୁ ଏମାନଙ୍କ ବିରୁଦ୍ଧରେ ପୋଲିସ ଯେତେ ଶୀଘ୍ର ହେବ ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ପଦକ୍ଷେପ ନେଉ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦାବି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଘଟଣାରେ ବଲାଙ୍ଗିର ବ୍ଲକ ଚେୟାରମେନ ମଧ୍ୟ ସଂପୃକ୍ତ ଅଛନ୍ତି । ତେଣୁ ବଲାଙ୍ଗିର ପୋଲିସ ଅଧିକ୍ଷକ ଏହା ନିରପେକ୍ଷ ସଠିକ୍‌ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏଠାରେ ସୂଚନାଯୋଗ ଯେ, ୫ ଲକ୍ଷ ଟଙ୍କାର ମାଟି କାମ ପାଇଁ ଅନୁଦାନ ଦିଆଯାଇଥିଲା । କିନ୍ତୁ ନରସିଂହ ନଗରରେ କୌଣସି ମାଟିକାମ ନ ହୋଇ ସେହି ଅନୁଦାନ ରାଶିକୁ ସଂପୂର୍ଣ୍ଣ ଭାବରେ ବାଟମାରଣା କରାଯାଇଛି । ତେଣୁ ଏହି ଦୁର୍ନୀତିର ତଦନ୍ତ ସହ ପର୍ଦ୍ଦାଫାସ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି ।

Leave A Reply

Your email address will not be published.