ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ଚର୍ଚ୍ଚାରେ କୁମିଆପାଲି ଗାଁ । ପ୍ରଶାସନର ଗାଁ ଉଚ୍ଛେଦ ଉଦ୍ୟମକୁ ଦୃଢ଼ ବିରୋଧ କରିଛନ୍ତି ଆଦିବାସୀ ବହୁଳ ଏହି ଗ୍ରାମର ୮୬ ବିସ୍ଥାପିତ ପରିବାର । ସେମାନଙ୍କ ସ୍ପଷ୍ଟ କଥା – ଉଚିତ କ୍ଷତିପୂରଣ ଓ ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ନିଜ ଭିଟାମାଟି ଛାଡ଼ିବେ ନାହିଁ । ଗତକାଲି ପ୍ରଶାସନ ସଦଳବଳେ ଜେସିବି ମେସିନ୍ ସହ ଗାଁକୁ ପହଂଚି ବିସ୍ଥାପନ ପାଇଁ ପଦକ୍ଷେପ ନେଇଥିଲା । ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥାନ ଛାଡ଼ିବାକୁ ବୁଝାଇଥିଲେ । କିନ୍ତୁ ବିସ୍ଥାପିତମାନେ ରୋକଠୋକ ଭାବେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗ୍ରାମବାସୀଙ୍କ କହିବା କଥା, “ବଲାଙ୍ଗିରର ଜୀବନରେଖା ପାଇଁ ଆମେ ତ୍ୟାଗ କରିବାକୁ ପ୍ରସ୍ତୁତ । କିନ୍ତୁ ନ୍ୟାୟସଙ୍ଗତ କ୍ଷତିପୂରଣ ବିନା ଭିଟାମାଟି ଛାଡ଼ିବୁ ନାହିଁ । ଡ୍ୟାମ୍ ପାଣି ଆସିଲେ ଆସୁ, ବୁଡ଼ି ଯିବୁ ପଛେ, ତଥାପି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗାଁ ଛାଡ଼ିବୁ ନାହିଁ ।” ବିସ୍ଥାପିତଙ୍କ ଏହି ଦୃଢ଼ ଆଭିମୁଖ୍ୟ ପରେ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ାଇ ପାରିନଥିଲା । ଶେଷରେ ଅଧିକାରୀମାନେ ନିଜର ଫୋର୍ସ ଓ ଜେସିବି ମେସିନ୍ ସହ ସେଠାରୁ ଫେରି ଆସିଥିଲେ । ଆଜି ସକାଳୁ ସକାଳୁ ପୁଣି ପୋଲିସ ଫୋର୍ସ ଓ ଜେସିବି ଗାଡ଼ି ସହ ପ୍ରଶାସନ ପହଂଚିଛି କୁମିଆପାଲି ଗାଁରେ । ଏବେ ସମସ୍ତଙ୍କ ନଜର୍ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ଆଲୋଚନା ଉପରେ । ଏତେବେଳ ପର୍ଯ୍ୟନ୍ତ ପ୍ରଶାସନ ଆଣ୍ଠେଇଛି କୁମିଆପାଲି ଗ୍ରାମବାସୀଙ୍କ ଆଗରେ ।
