କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି ହସ୍ପିଟାଲରୁ ଜଣେ ବାପା ନିଜ ମୃତ ଶିଶୁର ମୃତଦେହକୁ କାନ୍ଧରେ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି । ତେବେ ଭିଡିଓର ସତ୍ୟତା ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭିଡିଓ ଭାଇରାଲ ହେବା ପରେ ସମଗ୍ର କଣ୍ଟାବାଞ୍ଜି ଅଞ୍ଚଳରେ ଏହାକୁ ନେଇ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ଆମ୍ବୁଲାନ୍ସ, ମୃତଦେହ ପରିବହନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଣ୍ଟାବାଞ୍ଜି ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ପୂର୍ବରୁ ମଧ୍ୟ ବାରମ୍ବାର ଅଭିଯୋଗ ଉଠିଆସୁଛି । ଏସବୁ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ବୋଲି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଭାଇରାଲ ଭିଡିଓର ସତ୍ୟତା ଏବଂ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପ୍ରଶାସନ କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଆଧିକାରୀଙ୍କ ପ୍ରତିକ୍ରିୟା ଆସିବା ପରେ ହିଁ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
