ଚଳିତ ବର୍ଷର ଦୀପାବଳି, ବାଣ ବିହୀନ ଦୀପାବଳି ପାଳନ ପାଇଁ ଏକ ପ୍ରଚଣ୍ଡ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ପକ୍ଷରୁ ବାଣ କିଣା ବିକା ତଥା ବାଣ ଫୁଟା ପାଇଁ କଟକଣା ଲାଗୁ କରାଯାଇଥିଲା । ତେବେ ଏଥିଯୋଗୁଁ କାଁ ଭାଁ କିଛି ଅମାନିଆଁଙ୍କୁ ବାଦ୍‌ ଦେଲେ ପ୍ରାୟ ସମସ୍ତେ ବାଣ ଫୁଟାରୁ ଓହରି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ଖୁସିର କଥା ହେଲା, ଦୀପାବଳି ପାଳନର ଅସଲ ଦିଗ ପ୍ରତି ସମସ୍ତଙ୍କ ଦୃଷ୍ଟି ରହିଥିବା ଲକ୍ଷ୍ୟ କରାଯାଇଥିଲା । ଆଲୋକର ପର୍ବ ଦୀପାବଳିରେ ସମସ୍ତେ ଦୀପ ଜଳାଇବାରେ ବ୍ୟସ୍ତ ଥିଲେ । ଅଂଧାରକୁ ହଟାଇବାର ପ୍ରଚୂର ଆବେଗରେ ଯେମିତି ସମସ୍ତେ ସମ୍‌ଗୁଲ୍‌ ଥିଲେ ଚଳିତ ବର୍ଷ ଦୀପାବଳି ପର୍ବ ପାଳନ ସମୟରେ । ଅଯଥା ଶବ୍ଦ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣରୁ ଆମ ପରିବେଶକୁ ମଧ୍ୟ ଆମେ ସୁରକ୍ଷା ପ୍ରଦାନ କରିପାରିଛୁ । ଆପଣମାନେ ଜାଣି ଖୁସି ହେବେ ଯେ, ଚଳିତ ବର୍ଷ ସରକାରଙ୍କ ବାଣ ଉପରେ କଟକଣା ଯୋଗୁଁ ଚୀନ୍‌କୁ ଲାଗିଛି ବଡ଼ ଝଟ୍‌କା । ଦୀପାବଳି ସମୟରେ ଚୀନ୍‌ ବାଣ ବିକ୍ରି ମାଧ୍ୟମରେ ଭାରତରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଲାଭ ଉଠାଇଥାଏ । କିନ୍ତୁ ଚଳିତ ବର୍ଷ ବାଣ କଟକଣା ଯୋଗୁଁ ପ୍ରାୟ ୪୦ ହଜାର କୋଟି ଟଙ୍କାର କ୍ଷତି ସହିଛି ଚୀନ୍‌ । ତେବେ ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ବାଣ ଫୁଟା ବିହୀନ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନେ ।

Leave A Reply

Your email address will not be published.