ବ୍ଲକରେ ପିସି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ଅକାମୀ : ବିଡିଓ ଓ ଅନ୍ୟ ଅଧିକାରୀଙ୍କ ପିସି ବିରୋଧରେ ସରପଞ୍ଚ ସଂଘ ଫେରାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩ବର୍ଷ ତଳେ ବ୍ଲକ ମାନଙ୍କରେ ଚାଲିଥିବା ବ୍ୟାପକ ପିସି କାରବାରକୁ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକରେ ପିସି ବନ୍ଦ ପାଇଁ ଅଧିକାରୀ ମାନଙ୍କୁ କଡା ତାଗିଦ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ତାଗିଦ ସେ ସମୟରେ ଓଡିଶାରେ ଏକ ବଡ ରାଜନୈତିକ ବାଦ ବିବାଦ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ତାଗିତ ସତ୍ତ୍ବେ ବିଡିଓ, ଜେଇ, ଅନ୍ୟ ଅଧିକାରୀମାନେ କାହାକୁ ଖାତିର ନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ୟ୍ୟରେ ବ୍ୟାପକ ପିସି କାରବାର ହେଉଥିବା ଅଭିଯୋଗ ହୋଇଆସୁଛି । ଉନ୍ନୟନମୂଳକ କାମ ଅତି ନିମ୍ନ ମାନର କରି ସାରା ରାଜ୍ୟରେ ବ୍ଲକ ମାନଙ୍କରେ ବ୍ୟାପକ ପିସି କାରବାର ଚାଲିଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ସରପଞ୍ଚ ସଂଘ ଏଭଳି ଏକ ଗୁରୁତର ଅଭିଯୋଗ କରିବା ସହ ଗତ ୧୯ ତାରିଖ ଦିନ ପାଇକମାଲ ବ୍ଲକ ସରପଞ୍ଚ ସଂଘର ପ୍ରତିନିଧି ମଣ୍ତଳି ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାମରେ ବିଡିଓଙ୍କ ୨% , ଜିପିଓଙ୍କ ୧% ଓ ସେହି ହିସାବରେ ଆସିଷ୍ଟାଣ୍ଟା ଇଂଜିନିୟର, ଜେଇମାନଙ୍କୁ ନିର୍ଦ୍ଦିଷ୍ଟ ଭାଗ ନ ଦେଲେ ଫାଇଲରେ ଦସ୍ତଖତ କରୁ ନାହାନ୍ତି ବୋଲି ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି । ସବୁଠୁ ବଡ ଆଶ୍ଚର୍ୟ୍ୟର କଥା ଯେ, ଅଭିଯୋଗ କରିଥିବା ସରପଞ୍ଚମାନେ ଶାସକ ବିଜୁ ଜନତା ଦଳକୁ ପ୍ରତିନିଧିତ୍ବ କରୁଛନ୍ତି । ଉପ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ପାଇକମାଲ ବ୍ଲକ ସରପଞ୍ଚ ସଂଘର ସଭାପତି ଧବଳେଶ୍ବର ସାହୁ ବିଜେଡିର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ବିଜେଡିର ଅନ୍ୟ ସରପଞ୍ଚ ଭେଙ୍ଗରାଜପୁର ସରପଞ୍ଚ ଭୀଷ୍ମଦେବ ସାହୁ, ଝିଟିକି ସରପଞ୍ଚ ସୁନିତା ପ୍ରଧାନ, ମିଠାପାଲ ସରପଞ୍ଚ ସହଦେବ ଧରୁଆ, ମାଣ୍ତୋସିଲ ସରପଞ୍ଚ ହିମାଦ୍ରୀ ପୁଟା, ଜାମସେଠ ସରପଞ୍ଚ ତମ୍ବା ତାଣ୍ତି, ପଲସଦା ସରପଞ୍ଚ ଅଞ୍ଜନି ବାଗ ଆଦି ଉପ ଜିଲ୍ଲାପାଳଙ୍କୁ ଭେଟି ପାଇକମାଲ ବ୍ଲକ ପିସି କାରବାରର ତଦନ୍ତ ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.