
- ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ, ନଭେମ୍ବର ୧ ରେ ବଲାଙ୍ଗିର ଦିନ୍
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ ତାରିଖରେ ବଲାଙ୍ଗିର ଦିନ୍ ପାଳିତ ହେବାକୁଯାଉଛି । ବଲାଙ୍ଗିର ଜିଲ୍ଲା ଗଠନର ଅସ୍ମିତାର ଦିନକୁ ସ୍ମରଣୀୟ କରିବାକୁ ବଲାଙ୍ଗିର ଦିନ୍ ପାଳନ ପୂର୍ବରୁ ଆସନ୍ତା ୨୪ ତାରିଖରୁ ଆରମ୍ଭ କରି ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ସେଥିପାଇଁ ଆଜି ଆୟୋଜକକମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସ୍ଥାନୀୟ ପିପିଏକାଡେମୀ ହାଇସ୍କୁଲର ସଭାକକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଏନେଇ ବିସ୍ତୁତ ସୂଚନା ଦେଇଛନ୍ତି । ମିଡିଆ ସଂଯୋଜକ ଲୋଟସ ଷଢଙ୍ଗୀ ପ୍ରାରମ୍ଭିକ ସୂଚନା ଦେବାପରେ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ବଲାଙ୍ଗିର ପାଳନନେଇ ସୂଚନା ଦେଇଥିଲେ । ଆସନ୍ତା ଅକ୍ଟୋବର ୨୪ ତାରିଖରେ କଲେଜଛକ କଲ୍ୟାଣମଣ୍ଡପଠାରେ ନାରୀଶକ୍ତି ଫାଉଣ୍ଡେସନ ତରଫରୁ ମାଗଣା ସ୍ୱସ୍ଥ୍ୟଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ୨୫ ତାରିଖରେ ମେରାହୁନର ଅନୁଷ୍ଠାନ ପକ୍ଷରୁ ଟାଉନଗାର୍ଲ୍ସ ହାଇସ୍କୁଲରେ ଆର୍ଟ ଏଣ୍ଡକ୍ରାଫ୍ଟ ପ୍ରତିଯୋଗିତା, କଲେଜଛକ କଲ୍ୟାଣ ମଣ୍ଡପରେ ସଂପୂର୍ଣ୍ଣା ଅନୁଷ୍ଠାନ ପକ୍ଷରୁ ମେହେନ୍ଦୀ ପ୍ରତିଯୋଗିତା, ଉତ୍କଳ ମହିଳାବିକାଶ ପରିଷଦ ପକ୍ଷରୁ ଆମର ପିଠାମଡା ପ୍ରତିଯୋଗିତା, ଆଦ୍ୟାଶକ୍ତି ନାରୀ ସଂଗଠନ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା, ଟାଉନଗାର୍ଲ୍ସ ହାଇସ୍କୁଲରେ ପୂଜାଡିଭାଇନଗ୍ଲୋ ପକ୍ଷରୁ ଆମର ପିନ୍ଧନଉଢନ ପ୍ରତିଯୋଗିତା ଫେନ୍ସୀ ଡ୍ରେସ ପ୍ରତିଯୋଗିତା ଆୟୋଜିତ ହେବ । ୨୬ ତାରିଖରେ କୋଶଳକଳାମଣ୍ଡଳପଡିଆରେ ବଲାଙ୍ଗିର ମାଟିର ବୀରାଙ୍ଗନା ପକ୍ଷରୁ ନୃତ୍ୟ ପ୍ରତିଯୋଗିତା, ପିପି ଏକାଡେମୀଠାରେ ଷ୍ଟେଜ କମିଟି ପକ୍ଷରୁ ଏଙ୍କରିଙ୍ଗ କମ୍ପିଟିସନ,୨୭ ତାରିଖରେ ସମଲେଇ ମନ୍ଦିର ଠାରେ ସମଲେଇ ମନ୍ଦିର ଆଳତି କମିଟି ପକ୍ଷରୁ ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା, ୨୮ ତାରିଖରେ ବିଶ୍ୱାତ୍ମା ବିଦ୍ୟା ମନ୍ଦିରଠାରେ ଜୟ ବଲାଙ୍ଗିର ଟିମ ପକ୍ଷରୁ ଗୀତ ପ୍ରତିଯୋଗିତା, ପିପିଏକାଡେମୀରେ ଓଡିଶା ସାହିତ୍ୟ ଓ ସୁରକ୍ଷା ଅନୁଷ୍ଠାନ ପକ୍ଷରୁ କବିତା ଆସର, ୨୯ ତାରିଖରେ ପିପିଏକାଡେମୀଠାରେ ଲିବରେସନ ଅନୁଷ୍ଠାନ ପକ୍ଷରୁ କ୍ୱିଜ କମ୍ପିଟିସନ, ପଶ୍ଚିମଓଡିଶା ଯୁବାମଞ୍ଚ ପକ୍ଷରୁ ତର୍କ ପ୍ରତିଯୋଗିତା, ୩୦ ତାରିଖରେ ମହିଳା ମହାବିଦ୍ୟାଳୟଠାରେ ପଶ୍ଚିମଓଡିଶା ଯୁବାମଞ୍ଚ ପକ୍ଷରୁ ଆଲୋଚନାଚକ୍ର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଠିକ୍ ସେହିପରି ନଭେମ୍ବର ୧ ତାରିଖରେ ସକାଳୁ କୋଶଳ କଳାମଣ୍ଡଳ ପଡିଆରୁ ଏକ ସାସ୍କୃତିକ ଶୋଭାଯାତ୍ରା ବାହାରି ସହରପରିକ୍ରମା କରି ପୁଣି କୋଶଲ କଳାମଣ୍ଡଳ ପଡିଆକୁ ଫେରିବ । ଏହି ସାସ୍କୃତିକ ଶୋଭାଯାତ୍ରାରେ ବଲାଙ୍ଗିରର ବିଭିନ୍ନ ସାମାଜିକ ଓ ସାଂସ୍ସ୍କକୃତି ଅନୁଷ୍ଠାନ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଯୋଗଦେବାକୁ ନିବେଦନ କରାଯାଇଛି । ୧ ତାରିଖ ସଂଧ୍ୟାରେ କୋଶଳ କଳାମଣ୍ଡଳ ପଡିଆରେ ବଲାଙ୍ଗିର ଦିନର ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଧାୟକ ଗଣ ଓ ରାଜ୍ୟ ସରକାରଙ୍କୁ କିଛି ମନ୍ତ୍ରୀ ଯୋଗଦେବାର ସମ୍ମତି ଦେଇଛନ୍ତି ବୋଲି କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ନଭେମ୍ବର୍ ୨ ତାରିଖରେ ବଲାଙ୍ଗିର ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷ୍ୟରୁ କଳାମଣ୍ଡଳ ପଡିଆର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲାଙ୍ଗିର ଦିନ ବଲାଙ୍ଗିରବାସୀଙ୍କ ପାଇଁ ସ୍ୱାଭିମାନର ଦିନ । କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ ବରଂ ବଲାଙ୍ଗିର ବିକାଶର ଏହା ବାର୍ତ୍ତାବହ ହେଉ ବୋଲି କାମନା କରି ସମସ୍ତେ ସାମିଲ ହେବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ଆୟୋଜକ କମିଟିର ଗୋପାଳଜୀ ପାଣିଗ୍ରାହୀ, ସରିତା ଦାସ, ପ୍ରତାପ ରଥ, ବିଧୁଭୂଷଣ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଲୋଟସ ଷଢଙ୍ଗୀ, ଦୀନେଶ ଶର୍ମା, ବିନୋଦ କାଲସାଏ, ସଂଜୀବ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।