
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ମା’ ଶକ୍ତି ସ୍ୱରୂପିଣୀ, କରୁଣାମୟୀ ସେ ମହାମାୟୀ, ଦୟାମୟୀ । ମା’ ସେ ଆଦ୍ୟାଶକ୍ତି । ଆକୁଳ ହୋଇ ମା’କୁ ଯିଏ ଡାକିଛି ତା ମନୋକାମନା ପୂରଣ ହୋଇଛି । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ମା’ଙ୍କ ପାଖକୁ ଟାଣି ଆଣିଥାଏ । ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଆଦିବାସୀ ଅଧ୍ୟୁଷିତ ଜୁରାବନ୍ଧ ପଞ୍ଚାୟତ ନିକଟସ୍ଥ ତାଲଚକେଲ ଗ୍ରାମରେ ଆସନ୍ତା ଅକ୍ଟୋବର ୨୫ ତାରିଖ ଦିନ ପ୍ରସିଦ୍ଧ ହରଗୌରୀ ଆଦ୍ୟାଶକ୍ତିଙ୍କ ଛତର୍ ଯାତ୍ରା ଆୟୋଜନକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଉଛି । ଆସନ୍ତା ଅକ୍ଟୋବର ୨୨ ହବନ କାର୍ଯ୍ୟକ୍ରମ, ଅକ୍ଟୋବର ୨୪ରେ ଦେବୀଙ୍କ ଭୋଗରାଗ ଅର୍ପଣ କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୫ ତାରିଖ ଦିନ ବିଶ୍ଵରୂପ ଦର୍ଶନ ଓ ମା’ ହରଗୌରୀଙ୍କ ଛତରଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚି ଯାଇଛି । ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଆୟୋଜକ ମୁଖ୍ୟ ମଙ୍ଗଳ ସିଂ ବାବା, ଯୋଗଧ୍ୟାନ ପ୍ରଧାନ, କୁବେର ମାଝୀ ଓ ତାଲଚକେଲ ଗ୍ରାମବାସୀ ଅନୁରୋଧ କରିଛନ୍ତି । ୨୪ ତାରିଖ ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ – ତୁଳସୀ ବାସରେ ଜଳେ ପ୍ରଦୀପ କାଳ୍ପନିକ ନାଟକ ମଞ୍ଚସ୍ଥ ହେବ । ଏହି ଯାତ୍ରାରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଥାନ୍ତି ଓ ଏହି ଯାତ୍ରାରେ ସାମିଲ ହୋଇ ଲୋକେ ମା’ଙ୍କୁ ଦର୍ଶନ କରିଥାନ୍ତି । ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଦୀର୍ଘ ବର୍ଷରୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ଯେଉଁ ମାନସିକ କରିଥିଲେ ତାହା ପୂରଣ ହୋଇଥାଏ ବୋଲି ଲୋକେ କାହିଁ କେତେ ଦୂରରୁ ଏଠାକୁ ଆସିଥାନ୍ତି । ଏହି ଯାତ୍ରାରେ ବଲାଙ୍ଗିର ଜିଲ୍ଲା ସମେତ ଛତିଶଗଡ଼ ଓ ଝାଡଖଣ୍ଡ ରାଜ୍ୟର ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥାନ୍ତି । ବହୁ ବର୍ଷରୁ ଏହି ଗାଁରେ ଏହି ଯାତ୍ରା ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ସହ ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ସହଯୋଗ କରିଥାନ୍ତି ।