ବରଗଡ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ଚର୍ଦାପାଲି ଗ୍ରାମପଂଚାୟତ ପରିଦର୍ଶନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନସ୍ଥ ଚର୍ଦାପାଲି ଗ୍ରାମପଂଚାୟତ ପରିଦର୍ଶନରେ ବରଗଡ ଜିଲ୍ଲାର କାର୍ଯ୍ୟରତ ପ୍ରୋଜେକ୍ଟ ଡାଇରେକ୍ଟର କୃତିବାସ ରାଉତ ଆସି ଏଠାରେ ଚାଲିଥିବା ସରକାରଙ୍କ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଚର୍ଦାପାଲି ଗ୍ରାମପଂଚାୟତ ଛତିଶଗଡ ସୀମାନ୍ତରେ ଅବସ୍ଥିତ । ସ୍ୱାଧୀନତାର ପରଠାରୁ ଏ ପଂଚାୟତ ଅବହେଳିତ ହୋଇ ରହିଆସିଛି । ହେଲେ ଯେଉଁଦିନ ଠାରୁ ଗିରିଶ ଚନ୍ଦ୍ର ନାଏକ ସରପଂଚ ଭାବେ ଦାୟିତ୍ୱ ବହନ କଲେ । ତାଙ୍କ ସ୍ୱପ୍ନର ଚର୍ଦାପାଲି ଗ୍ରାମ ପଂଚାୟତର ରୂପରେଖ ଧୀରେ ଧୀରେ ବଦଳିବାରେ ଲାଗଲା । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟରଂଜନ ସିଂ ବରିହାଙ୍କ ଦୃଷ୍ଟିକୁ ଆଣି ଅନେକ ଗୁଡାଏ ଉନ୍ନୟନମୂଳକ କାର୍ଯ୍ୟ ହାତେଇ ସମଗ୍ର ପଂଚାୟତର ରୂପରେଖ ବଦଳାଇ ଚାଲିଛନ୍ତି ।

ପ୍ରୋଜେକ୍ଟ ଡାଇରେକ୍ଟର କୃତିବାସ ରାଉତ ପ୍ରାରମ୍ଭେ ପଂଚାୟତର ଲୁହୁରାକୋଟରୁ ନୂଆପଡା ରାସ୍ତାକୁ ଅନୁଧ୍ୟାନ କରି ୭ ଗୋଟି ନୂତନ କର୍ଲଭଟ ନିର୍ମାଣ ପାଇଁ ଆଦେଶ ଦେବା ସହ ଜମି ଉନ୍ନତିକରଣ ପାଇଁ ଚାଲିଥିବା କାର୍ଯ୍ୟର ତଦାରକ କରିଥିଲେ । ଚଙ୍ଘରିଆ ଝାରକଟା କେନାଲ କାମ କେତେ ବାଟ ଅଗ୍ରସର ହୋଇଛି, ତାହା ସମୀକ୍ଷା ପରେ କାର୍ୟ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ତାଙ୍କ ପାଉଣା ସମ୍ପର୍କରେ ବୁଝିଥିଲେ । ପ୍ରଧାନମନ୍ତ୍ରୀ ଆବସ ଯୋଜନାର ହିତାଧିକାରୀଙ୍କ ସହ କିଛି ସମୟ ବାର୍ତ୍ତାଳାପ ମଧ୍ୟ କରିଥିଲେ । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକ୍ରମର ସମୀକ୍ଷା ପରେ ଲୋକେ ଠିକ ଭାବେ କାମର ଉଚିତ ପାରିଶ୍ରମିକ ପାଉଛନ୍ତି କି ନାହିଁ, ତାହା ଲୋକଙ୍କୁ ବୁଝିବା ପରେ ସନ୍ତୋଷଜନକ ଉତ୍ତର ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକର ଆସିଷ୍ଟାଣ୍ଡ ଜେ.ଇ ସୁବ୍ରତ କୈଶ୍ୟପ, ଜେ.ଇ ରାଜ କୁମାର ସାହୁ, ଟି.ସି ବ୍ୟଦ୍ରୁଜ ବୈକୁଣ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.