ଶ୍ରୀକ୍ଷେତ୍ରକୁ ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପାଇଁ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି । ଏକ ସୁସଜ୍ଜିତ ରଥରେ ଜିଲ୍ଲାର ବିନିକା ଜଗନ୍ନାଥ ମନ୍ଦିରରୁ ଗତକାଲିଠାରୁ ବାହାରିଥିବା ତୁଳସୀ ରଥ ବିଭିନ୍ନ ସ୍ଥାନ ପରିକ୍ରମା ପୂର୍ବକ ଶ୍ରଦ୍ଧାଳୁ ଭକ୍ତଙ୍କ ପାଖରୁ ତୁଳସୀ ଓ ପଦ୍ମଫୁଲ ସଂଗ୍ରହ କରି ଆଜି ସୁବର୍ଣ୍ଣପୁର ରାଜବାଟୀସ୍ଥିତ ଜଗନ୍ନାଥ ମନ୍ଦିର ଦ୍ବାରରୁ ପୁରୀ ଅଭିମୁଖେ ଯାତ୍ରା କରିଛି ।

ସୁବର୍ଣ୍ଣପୁରରୁ ବାହାରିଥିବା ତୁଳସୀ ରଥ ବୌଦ୍ଧ, ଦଶପଲ୍ଲା, ନୟାଗଡ ଦେଇ ଜଗନ୍ନାଥ ସଡକରେ ଯାଉଛି । ପୁରୀ ରାମଜୀ ମଠର ମହନ୍ତ ବଂଶୀଧର ଦାସ ମହାରାଜଙ୍କ ହସ୍ତରେ ଆସନ୍ତାକାଲି ଶ୍ରୀମନ୍ଦିରରେ ତିନିଠାକୁର ହେଉଥିବା ପବିତ୍ର ନାଗାର୍ଜୁନ ବେଶରେ ଏସବୁ ତୁଳସୀ ଓ ପଦ୍ମଫୁଲ ମାଳ ଆକାରରେ ଲାଗି ହେବ । ସୂଚନୀୟ, ଆଗରୁ ସୁବର୍ଣ୍ଣପୁରର ରାଜନ୍ୟବର୍ଗ ଫି’ ବର୍ଷ ପ୍ରଭୁଙ୍କ ଦୈନନ୍ଦିନ ସୁନାଭୋଗ ଥାଳି ପାଇଁ ସ୍ବାଦିଷ୍ଠ ସୁନାମୁଗ, ଗୋ ଘୃତ ଓ ସରୁ ବାସୁମତୀ ଚାଉଳ ମହାନଦୀର ଜଳପଥରେ ପଠାଉଥିଲେ ।

Leave A Reply

Your email address will not be published.