
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ଠାରୁ ବିଏଲ୍ଓ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବାଣ୍ଟିବେ ବୋଲି ଗଞ୍ଜାମ ଜିଲ୍ଲା ପ୍ରସାଶନ ପକ୍ଷରୁ କୁହାଯାଇଛି । ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରିଗଣନା ଫର୍ମ ବଣ୍ଟନ, ଜିଲ୍ଲାରେ ୩୧୨୪ ବିଏଲ୍ଓ, ୩୧୧ ସୁପରଭାଇଜର, ୧୩ ଇ.ଆର.ଓ ଏବଂ ୭୯ ଏ.ଇ.ଆର.ଓ ନିୟୋଜିତ ବିଏଲ୍ଓଙ୍କୁ ସଠିକ ତଥ୍ୟ ଓ ସହଯୋଗ କରିବା ପାଇଁ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ କରିଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍-୨୦୨୬) ପାଇଁ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ନୂତନ ତଥା ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ୍ ଦେଇ ଏକ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଆବଶ୍ୟକୀୟ ପରିଗଣନା ଫର୍ମ ମୁଦ୍ରଣ କରାଯିବା ସହ ଅଧିକାରୀମାନଙ୍କ ତାଲିମ ପ୍ରକ୍ରିୟା ଶେଷ ହୋଇଛି ବୋଲି ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି । ଚଳିତ ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପରିଗଣନା ଫର୍ମ ଦିଆଯିବ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲଟିରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ଭବିଷ୍ୟତ ରେଫରେନ୍ସ ପାଇଁ ସ୍ୱୀକୃତି ପତ୍ର ସ୍ୱରୂପ ପ୍ରଦାନ କରିବେ । ଏହାବ୍ୟତୀତ, ଭୋଟରମାନେ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ (ଙ୍ଖକ୍ଟଗ୍ଧରକ୍ସଗ୍ଦ.ରମସ.ଶକ୍ଟଙ୍ଖ.ସଦ୍ଭ) ରୁ ଫର୍ମ ଡାଉନଲୋଡ୍ କରି ପୂରଣ କରିବା ପରେ ସେହି ପୋର୍ଟାଲ ମାଧ୍ୟମରେ ଅନଲାଇନ୍ରେ ମଧ୍ୟ ଅପଲୋଡ୍ କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଭୋଟରମାନଙ୍କ ସୁବିଧା ନିମନ୍ତେ ବିଏଲ୍ଓମାନେ ପ୍ରତିଦିନ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନିଜ ନିଜ ବୁଥ୍ରେ ଉପସ୍ଥିତ ରହି ସହାୟତା ପ୍ରଦାନ କରିବେ । ୦୧/୦୭/୨୦୨୭ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ଯୁବକଯୁବତୀମାନେ ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ । ଜିଲ୍ଲାରେ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଏହା ସହିତ ୨୮ ଜୁନ୍ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବ । ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ । ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ । ଦାବି ଓ ଆପତ୍ତିର ନିଷ୍ପତ୍ତି ୦୫ ଜୁଲାଇରୁ ୦୨ ସେପ୍ଟେମ୍ବର ସୁଦ୍ଧା କରାଯିବ । ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି କାର୍ଯ୍ୟ ପାଇଁ ଜିଲ୍ଲାର ୧୩ଟି ବିଧାନସଭା କ୍ଷେତ୍ରରେ ୩୧୨୪ ଜଣ ବିଏଲ୍ଓ ଏବଂ ୩୧୧ ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ହୋଇଥିବାବେଳେ ୧୩ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇ.ଆର.ଓ) ଓ ୭୯ ଜଣ ଏ.ଇ.ଆର ଓ ସମସ୍ତ କାର୍ଯ୍ୟର ତଦାରଖ କରିବେ । ଏହି ସଂଶୋଧନ ପ୍ରକ୍ରିୟାରେ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏଥିସହ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରିଣ୍ଟ୍ ଓ ଇଲେକ୍ଟ୍ରୋନିକ୍ ମିଡିଆ, ସୋସିଆଲ୍ ମିଡିଆ, ସୁପରିଚିତ କଳାକାର ଏବଂ ଇନଫ୍ଲୁଏନ୍ସରମାନଙ୍କୁ ସେ ଅନୁରୋଧ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଡେପୁଟି କଲେକ୍ଟର (ନିର୍ବାଚନ) ଡଃ ଅଶୋକ କୁମାର ଖଣ୍ଡା ପ୍ରମୁଖ ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।