pakka

ଦୁମଦୁମି ଗ୍ରାମରେ ପାଣିଦଣ୍ଡର ଶୁଭାରମ୍ଭ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଦୁମଦୁମି ଗ୍ରାମରେ ପଟୁଆ ଦଣ୍ଡ ବା ପାଣିଦଣ୍ଡ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି । ମାନସିକ ଧାରି ଦଣ୍ଡପାଟୁଆମାନେ ସେମାନଙ୍କ ଛତର ବଏରଖ ଧରି ଗ୍ରାମର ପ୍ରତ୍ୟେକ ଘରକୁ ପରିକ୍ରମା କରିଥିଲେ । ଗ୍ରାମର ପ୍ରତ୍ୟେକ ମହିଳାମାନେ ଗୃହ ସମ୍ମୁଖରେ ପୂର୍ଣ୍ଣକଳସ ସ୍ଥାପନା କରି ଦଣ୍ଡୁଆମାନଙ୍କର ପଦ ଧୌତ କରି ଦଣ୍ଡଯାତ୍ରାର ଶୁଭ ମନାସି ଦଣ୍ଡୁଆମାନଙ୍କୁ ବିଦାୟ ଦେଇଥିଲେ । ଏହି ପାଣିଦଣ୍ଡ ବା ପଟୁଆ ଦଣ୍ଡଯାତ୍ରା ଫାଲଗୁନ ମାସ ପୂର୍ଣ୍ଣମୀ ଦିନରୁ ଆରମ୍ଭ ହୁଏ । ଦଣ୍ଡୁଆମାନେ ୧୩ ଦିନ ଧରି ଗାଁ ଗାଁକୁ ଖାଲି ପାଦରେ ଢୋଲ ଘଣ୍ଟ ଶଙ୍ଖ ବଜାଇ ଦଣ୍ଡ ପରିବେଷଣ କରନ୍ତି । ସାଧାରଣତଃ ଏମାନେ ଦୁଇ ପ୍ରକାର ଦଣ୍ଡ ପରିବେଷଣ କରନ୍ତି । ଦିନ ବେଲା ପାଣି ଦଣ୍ଡ ଓ ରାତିରେ ପ୍ରଥମ ଭେଟି ଦଣ୍ଡ କରନ୍ତି । ସୂଚନା ଯୋଗ୍ୟ ଯେ, ଦୁମ୍‌ଦୁମି ଗ୍ରାମର ଭୁବନ ବାରିକ ନାମକ ଜଣେ ବ୍ୟକ୍ତି ମାନସିକ କରିଥିଲେ ତାଙ୍କ ମାନସିକ ପୂରଣ ହେବାରୁ ପ୍ରତ୍ୟେକ ବର୍ଷ ଏହା ପାଳନ କରାଯାଏ । ଦଣ୍ଡୁଆମାନଙ୍କ କହିବା ଅନୁସାରେ ଶ୍ୱେତ ଛତରରେ ପଞ୍ଚାନନ ବାବା, କଳା ଛତରରେ ଦକ୍ଷିଣ କାଳୀ ମାଙ୍କୁ ଓ ବଏରଖରେ କ୍ଷେତ୍ରପାଳ ମହାରାଜଙ୍କୁ ପୂଜା କରାଯାଏ । ପ୍ରତ୍ୟେକ ଦଣ୍ଡୁଆମାନେ ମଧ୍ୟାହ୍ନରେ ମହାଦେବଙ୍କ କେବଳ ପାଦୁକା ସେବନ କରନ୍ତି ଓ ରାତ୍ରୀରେ ଅରୁଆ ଅନ୍ନ ସେବନ କରନ୍ତି । ସତରେ ଆମ ମହାନ୍ କଳା ସଂସ୍କୃତିର ଦଣ୍ଡପାଟୁଆ ମଧ୍ୟ ଅଂଶବିଶେଷ । ସରକାର ଟିକେ ଧ୍ୟାନ ଦେଲେ ଆମ କଳା ସଂସ୍କୃତି ସବୁଦିନ ପାଇଁ ଜୀବିତ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

15 − two =