ଆଦର୍ଶ ପାଠାଗାରରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱ ତଥା ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ସଞ୍ଜୟ ହାତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଗୋପବନ୍ଧୁଙ୍କୁ ଜଣେ ସମର୍ପିତ ପ୍ରତିଷ୍ଠାତା ଭାବେ ଅବିହିତ କରି ସେ ଏକାଧାରରେ ଜଣେ ଶ୍ରେଷ୍ଠ ଜାତୀୟତାବାଦୀ, ସମାଜ ସଂସ୍କାରକ ଏବଂ ଦୂରଦୃଷ୍ଟି ସଂପନ୍ନ ଶିକ୍ଷାବିତ୍‌ ଥିଲେ । ଉତ୍କଳୀୟ ଭାବଧାରାର ବିକାଶ ସହ ମାନବବାଦର ପ୍ରସାର ଥିଲା ତାଙ୍କ ଭାବାଦର୍ଶ । ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସଭାପତିତ୍ୱ ଅଭିଭାଷଣରେ ସେ କହିଥିଲେ ଯେ, ଗୋପବନ୍ଧୁ ମାନବବାଦର ବିକାଶରେ ଯେପରି ନିଷ୍ଠାର ସହ କାର୍ଯ୍ୟ କରି ଯାଇଛନ୍ତି ତାହା ଇତିହାସରେ ବିରଳ ଅଧ୍ୟାୟ ବୋଲି କୁହାଯାଇପାରେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଆଦ୍ୟାଶା ପାଣିଗ୍ରାହୀ, ସାଇ ପ୍ରତିଭା ପ୍ରଧାନ, ଆଶିଷ ରାଉତ, ସ୍ୱରୂପା ପାଣିଗ୍ରାହୀ, ସାଇନି ପ୍ରିୟଦର୍ଶନୀ ଜେନା ଉତ୍କଳମଣିଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ଡ. ସୁଚିତ୍ରା ମହାନ୍ତି, ଅଧ୍ୟାପିକା ଡ. ଦୀପ୍ତିମୟୀ ବେହେରା ଓ ଅଧ୍ୟାପକ ଡ. ଅରବିନ୍ଦ ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ବାଉରୀବଂଧୁ ସାହୁ, ବିଜୟ ପାତ୍ର, ଅଶୋକ ବଳ, ଜ୍ଞାନେନ୍ଦ୍ର ଦାଶ, ଡ. ଜୟନ୍ତୀ ପାଢୀ, ପି ପି ରାୟ, ଅଭିରାମ ପ୍ରଧାନ, ମନୋଜ କୁମାର ପଣ୍ଡା, ଡା. ବସନ୍ତ ଦାସ, ଜ୍ୟୋତି ପ୍ରକାଶ ମହାପାତ୍ର, ଜଗନ୍ନାଥ ରାଉତ, ଡ. ସୁମନ ଦତ୍ତ, ରାଜୀବ ପାଣି, ଗୋପୀନାଥ ପଟ୍ଟନାୟକ, ବନ୍ଦନା ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ପାଠାଗାରର ବାର୍ଷିକୋତ୍ସବ କୁମାର ପୂର୍ଣ୍ଣିମା ପାଇଁ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା । ଶେଷରେ ସଂପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!