ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପିତ : ନାଏକ ଏକାଡେମୀ ବିଜେତା ଓ ନବକିଶୋର ଦଳ ଉପବିଜେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପିତ ହୋଇଯାଇଛି । ସୁପର ଲିଗ୍‌ର ଅନ୍ତିମ ମ୍ୟାଚ୍‌ ନବକିଶୋର ଦଳ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନବକିଶୋର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୮ ଓଭରରେ ୫ ଉଇକେଟ ବିନିମୟରେ ୨୮୧ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରାହୁଲ ସାହୁଙ୍କ ଧୁଆଁଧାର ୮୩ ରନ୍‌ ଦେବାଶୁଂ ରାୟଗୁରୁଙ୍କ ଧର୍ଯ୍ୟପୁର୍ଣ୍ଣ ୭୧ ରନ୍‌ ଓ ପୁରୁଷୋତ୍ତମ ପ୍ରଧାନଙ୍କ ୪୨ ରନ୍‌ ସହାୟତାରେ ନବକିଶୋର ଦଳ ୨୮୧ରନ୍‌ର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଟିଟିଲାଗଡ଼ ଦଳ ପକ୍ଷରୁ ମହମ୍ମଦ ୟୁସୁଫ୍‌ ଓ ବିକି ନାଗ ଉଭୟେ ୨ ଗୋଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିବା ବେଳେ ଟିଟିଲାଗଡ଼ ଦଳର ଅନ୍ୟ କୌଣସି ବୋଲର ନବକିଶୋର ଦଳ ବ୍ୟାଟ୍ସ ମ୍ୟାନମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲେ । ୨୮୨ରନ୍‌ର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଳାଇଥିବା ଟିଟିଲାଗଡ଼ ଦଳ ୩୨. ୪ ଓଭରରେ ସମସ୍ତ ଉଇକେଟ ହରାଇ ୧୭୧ ରନ୍‌ ସଂଗ୍ରହର କରି ପରାଜିତ ହୋଇଥିଲେ । ଦଳ ପକ୍ଷରୁ ଶୈଲେସ ପଟ୍ଟନାୟକ ୪୪ ଓ ସୁଭମ ସୁନା ୪୩ ରନ୍‌ ସଂଗ୍ରହ କରିଥିଲେ । ଫଳରେ ଏହି ମ୍ୟାଚକୁ ନବକିଶୋର ଦଳ ୧୧୦ ରନ୍‌ର ବୃହତ ବ୍ୟବଧାନରେ ବିଜୟୀ ହୋଇଥିଲେ । ନବକିଶୋର ଦଳ ପକ୍ଷରୁ ଜିତେନ୍ଦ୍ର ଥପା ସର୍ବାଧିକ ୪ ଗୋଟି ଉଇକେଟ ନେଇଥିବା ବେଳେ ବାବୁଲି ସେଠୀ ଓ ଓମକାର ମହାନ୍ତି ଉଭୟେ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚରେ ଦେବାଶୁଂ ରାୟଗୁରୁଙ୍କ ଚିତାକର୍ଷକ କ୍ଷେତ୍ର ରକ୍ଷଣ ପ୍ରଦର୍ଶନ କରିଥିଲେ । ଆଜିର ଏହି ମ୍ୟାଚରେ ରାହୁଲ ସାହୁଙ୍କୁ ମ୍ୟାନ ଅଫଦି ମ୍ୟାଚ ପ୍ରଦାନ କରାଯାଇଥିଲା । ଏତତ୍‌ ବ୍ୟତୀତ ଅଶୁଂମାନ ମିଶ୍ରଙ୍କୁ ମ୍ୟାନ ଅଫ ଦି ସିରିଜ, ବିକି ନାଗଙ୍କୁ ବେଷ୍ଟ ବୋଲର ଅଫ ଦ ଟୁର୍ଣ୍ଣାମେଣ୍ଟ ଓ ଜିତେନ୍ଦ୍ର ଥପାଙ୍କୁ ଆଜିର ମ୍ୟାଚର ବେଷ୍ଟ ବୋଲର ପୁରସ୍କାର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ନାଏକ କ୍ରୀକେଟଏକାଡେମୀ ଦଳ ସୁପର ଲିଗର ସମସ୍ତ ମ୍ୟାଚ ଜିତି ଚାମ୍ପିଆନ ହୋଇଥିବା ବେଳେ ନବକିଶୋର ଦଳ ଉପବିଜେତା ହୋଇଛି । ମ୍ୟାଚ ରେଫରି ଭାବେ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଥିବା ବେଳେ ମ୍ୟାଚ୍‌କୁ ରାଜେନ୍ଦ୍ର ସେଠ ଓ ରଜତ ଦାସ ପରିଚାଲନା କରିଥିଲେ, ଜଗପତି ନାଏକ ସ୍କୋର ଦାୟିତ୍ୱ ତୁଲାଇଥିଲେ । ଆଜିର ଉଦ୍‌ଯାପନି ଉତ୍ସବରେ ଜିଳ୍ଲା କ୍ରୀଡାସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡାସଂସଦର ବରିଷ୍ଠ ସଦସ୍ୟ ତଥା ପୁର୍ବତନ ଖେଳାଳୀ ରମେଶ ପୁରୋହିତ, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ସହସମ୍ପଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘ୍ନ ସିଂ, ଅଧ୍ୟାପକ ପ୍ରସାନ୍ତ ଖମାରୀ, ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

5 × four =