ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

  • ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀ ମାନଙ୍କୁ ମିଳିବ ଏହି ସହାୟତା
  • ଡିସେମ୍ବର ପହିଲା ସୁଦ୍ଧା ୪୮ ଲକ୍ଷରୁ ଅଧିକ ହିତାଧିକାରୀ କମ୍ବଳ ପାଇଁ ୩୦୦ ଟଙ୍କା ଲେଖାଏ ପାଇବେ, ସମୁଦାୟ ୧୪୬ କୋଟି ଖର୍ଚ୍ଚ
  • ଖୋଲା ଆକାଶ ତଳେ ଯେପରି କେହି ନ ରହିବେ, ସେଥିପାଇଁ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି । କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ରାଜ୍ୟରେ ଶୀତ ଲହରୀ ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱରା ମଧୁବାବୁ ପେନ୍‌ସନ ଯୋଜନା ଓ ଜାତୀୟ ପେନ୍‌ସନ ଯୋଜନା (ଏନ୍‌ଏସ୍‌ପି) ଅନ୍ତର୍ଗତ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହା ସହିତ ଶୀତ ପ୍ରବାହ ସମୟରେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବରେ ନ ରୁହନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ପେନ୍‌ସନ ହିତାଧିକାରୀ ମାନଙ୍କୁ ଗ୍ରୀଷ୍ମ ଓ ଶୀତ ସହାୟତା ଯୋଗାଇ ଦେଇଆସିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୫ଟି ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ଆବଶ୍ୟକସ୍ଥଳେ ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍କୁଲ ଘର ଗୁଡିକୁ ମଧ୍ୟ ରାତ୍ରୀ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନଭେମ୍ବର ୩୦ ଓ ଡିସେମ୍ବର ୧, ଏହି ଦୁଇ ଦିନ ମଧ୍ୟରେ ସବୁ ହିତାଧିକାରୀ ଯେପରି ଏ ସହାୟତା ପାଇବେ, ସେଥିପାଇଁ ପଦକ୍ଷେପ ନିଆଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ତଥା ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + 4 =