ଆଜି ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମୋଟ ୩୨୫୨ ପ୍ରାଥମିକ ସମବାୟ ସମିତିରୁ ୨୫୨୧ରେ ସଦସ୍ୟ/ସଦସ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ ହେବ । ତନ୍ମଧ୍ୟରୁ ୨୪୪ ସମିତି ସମ୍ୱେଦନଶୀଳ ବୋଲି ରାଜ୍ୟ ସମବାୟ ନିର୍ବାଚନ ଆୟୋଗ କମିଶନର ସୁନ୍ଦରଲାଲ ସିଲ୍‌ କହିଛନ୍ତି ।

ଆୟୋଗ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଲ୍‌ କହିଛନ୍ତି ଯେ, ରବିବାର ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ୧୯ ଉପନିବନ୍ଧକ ଓ ୫୮ ସହକାରୀ ନିବନ୍ଧକ ପରିଚାଳନା କରିବେ । ସକାଳ ୭ରୁ ଅପରାହ୍ନ୪ଟା ମତଦାନ ହେବ । ଭୋଟ ଗ୍ରହଣ ସରିବା ପରେ ନିର୍ବାଚନ ଅଧିକାରୀ ଏବଂ ନିୟୋଜିତ ଅନ୍ୟ ଅଧିକାରୀମାନେ ଭୋଟ୍‌ ଗଣତି କରି ବୁଥ୍‌ ସ୍ତରରେ ଫଳ ଘୋଷଣା କରିବେ । ଭୋଟ ଗଣତି ଏବଂ ଫଳ ପ୍ରକାଶ ସମୟରେ ପ୍ରାର୍ଥୀ ବା ତାଙ୍କ ଦ୍ୱାରା ନିଯୁକ୍ତ ଏଜେଣ୍ଟମାନେ ଉପସ୍ଥିତ ରହିବେ । ରାତି ୮ ସୁଦ୍ଧା ଫଳ ପ୍ରକାଶ ପାଇବ ।

ତେବେ ଏହି ସମିତିମାନଙ୍କର ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡ଼ିଂ ଅଫିସର୍‌, ପୋଲିଂ ଅଫିସର୍‌ ଏବଂ ପୁଲିସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସମ୍ୱେଦନଶୀଳ ବୁଥ୍‌ଗୁଡିକରେ ମାଜିଷ୍ଟ୍ରେଟ, ସଶସ୍ତ୍ର ପୁଲିସ୍‌ ବାହିନୀ ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି । ଏହି ସମ୍ୱେଦନଶୀଳ ବୁଥ୍‌ମାନଙ୍କରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବା ସହିତ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ସମାପ୍ତ କରିବା ପାଇଁ ବିହିତ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ କମିଶନର କହିଛନ୍ତି । ଆଜି ମୋଟ ୪ଲକ୍ଷ ୫୩ହଜାର ୬୧୦ ଭୋଟଦାତା ତାଙ୍କର ମତଦାନ ସାବ୍ୟସ୍ତ କରିବେ । ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଏ ସମ୍ପର୍କରେ ଚୂଡାନ୍ତ ସୂଚନା ୨୫ରେ ଦିଆଯିବ ବୋଲି ଆୟୋଗ କହିଛନ୍ତି ।

ଯେଉଁ ସମିତିରେ ଆସନ୍ତାକାଲି ନିର୍ବାଚନ ସରିବ, ତା’ର ଦୁଇ ଦିନ ପରେ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୧୫ ଦିନ ପରେ ପ୍ରାଥମିକ ସମବାୟ ସମିତିର ସଭାପତି ଭୋଟ୍‌ ହେବ । ୧୫ ଦିନ ପରେ ଉପସଭାପତି ନିର୍ବାଚନ ହେବ । ଅକ୍ଟୋବରରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ବାଚନ ହେବ । ୨୦୨୩ ଜାନୁଆରୀରେ ୨୧ଟି ଆପେକ୍ସ ସମବାୟ ସଂସ୍ଥାର ନିର୍ବାଚନ ହେବ ବୋଲି ଶ୍ରୀ ସିଲ୍‌ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

four × 3 =

error: Content is protected !!