pakka

ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ

  • ନାରୀ ମନସ୍ତତ୍ତ୍ବର ନିଖୁଣ ଚିତ୍ରଣ ଓଡିଆ ଉପନ୍ୟାସକୁ କାଳଜୟୀ କରିପାରିଛି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନାରୀକବି ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଦୀପିକା ମହିଳା ସଂହତିର ସଭାପତି ସୀମାଦେବ ଭୌମିକ ମୁଖ୍ୟଅତିଥି, ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟା ଶିବପ୍ରିୟା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀମତୀ ମିଶ୍ର ଆଧୁନିକ ଓଡିଆ ଉପନ୍ୟାସରେ ନାରୀ ମନସ୍ତତ୍ତ୍ଵର ଶୀର୍ଷକ ଉପରେ ଆଲୋଚନା କରି କହିଲେ ଯେ, ନାରୀ ମନସ୍ତତ୍ତ୍ଵର ନିଖୁଣ ପରିପ୍ରକାଶ ଆଧୁନିକ ଓଡିଆ ଉପନ୍ୟାସ ସାହିତ୍ୟକୁ ରୁଦ୍ଦିମନ୍ତ କରିବା ସଂଗେ ସଂଗେ ସାମାଜିକ ସନ୍ତୁଳନରେ ସହାୟକ ହୋଇପାରିଛି । ମୁଖ୍ୟଅତିଥି ଶ୍ରୀମତୀ ଭୌମିକ ନିଜ ବକ୍ତବ୍ୟରେ କହିଲେ ଯେ, ସଂସଦର ଏଭଳି କାର୍ଯ୍ୟ ନାରୀକବି ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ଏହି ଅବସରରେ ଅତିଥିମାନେ ପୁଷ୍ପାରାଣୀ ପଟେଲଙ୍କ ଗଳ୍ପ ସଂକଳନ ‘ବାପାଙ୍କ ଛାଇରେ’କୁ ଉନ୍ମୋଚନ କରିଥିବା ବେଳେ ପୁସ୍ତକଟିକୁ ସୁସ୍ମିତା ମହାପାତ୍ର ସମୀକ୍ଷା ଓ ରଶ୍ମି ସାହୁ ପାଠକୀୟ ଅଭିମତ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା ରଥଙ୍କ ଅଧ୍ୟକ୍ଷତା ଓ ଡଲି ବ୍ରହ୍ମା, ଉର୍ବଶୀ ଦାଶ ତଥା ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ ବହୁ କବି କବିତା ପାଠ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମମତା ଜେନା ଓ ଦ୍ୱିତୀୟ ପର୍ଯ୍ୟାୟରେ ସୁମିତ୍ରା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳ, ପୁଲିନ ରାଉତରାୟ, ସ୍ନେହଲତା ନାୟକ, କିଶୋରୀ ଦାସ, ବ୍ରଜେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

sixteen − three =