
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମରେ ସତ୍ୟସାଇ ଭଜନ ମଣ୍ଡଳୀ ଆନୁକୂଲ୍ୟରେ ଭଗବାନ ଶ୍ରୀଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ୫ଟାରେ ଓଁକାରମ୍, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୬ଟାରେ ୧୦୧ ଦୀପ ପ୍ରଜ୍ଜ୍ୱଳନ ସହ ସାଇ ଅଷ୍ଟୋତ୍ତର ଶତନାମାବଳୀ ଓ ବେଦପାଠ କରାଯାଇଥିଲା । ଏହାପରେ ୧୩ଟି ଭକ୍ତିପୂର୍ଣ୍ଣ ଭଜନ ପରିବେଷଣ ସହ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଶେଷରେ ଆରତି ପରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବାଳବିକାଶ ଛାତ୍ରଛାତ୍ରୀଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇଥିଲା । ଏଥିସହ ଖରିଆରର ଦୃଷ୍ଟିବାଧିତ ଭକ୍ତ ଦେବାଶିଷ ପଣ୍ଡାଙ୍କ ପକ୍ଷରୁ ପଠାଯାଇଥିବା କଲମ, ଶ୍ରୀମଦ୍ ଭାଗବତ ପୁସ୍ତକ ଓ ଚକୋଲେଟ୍ ମଧ୍ୟ ସମସ୍ତଙ୍କୁ ବଣ୍ଟନ କରା ଯାଇଥିଲା । ଭଜନ ମଣ୍ଡଳୀର ଆବାହକ ସନ୍ତୋଷ କୁମାର ପାଢ଼ୀଙ୍କ ସହ ସୁରଥ ସାହୁ, ପତିତପାବନ ସାହୁ, ନିରୋଜ ସାହୁ, ଫକୀରମୋହନ ବାରିକ, ହେମସାଗର ସାହୁ, ପ୍ରଶାନ୍ତ ସାହୁ, ସୁଧାଂଶୁ ଶେଖର ସେଠ, ନରେଶ ସାହୁ, ସୁଦାମ ସାହୁ, ଗୀତା ସାହୁ, ବୀଣା ସାହୁ ଓ ବାଳବିକାଶ ଗୁରୁ ରଞ୍ଜିତା ସାହୁଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଯୋଗଦେଇ ଭଜନ ସତସଙ୍ଗରେ ଅଂଶଗ୍ରହଣ କରିଥିଲେ ।