jayashree

ଇଞ୍ଜିନିୟର ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ପରଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଗଙ୍ଗାଧର ମେହେର ଛକ ନିବାସୀ ଇଂ. ଶ୍ୟାମ ସୁନ୍ଦର ଅଗ୍ରୱାଲ (୮୦)ଙ୍କ ଗତକାଲି ରାତି ପ୍ରାୟ ୧ ଟା ବେଳେ ହୃଦ୍‌ଘାତରେ ପରଲୋକ ଘଟିଛି । ସେ ଗତକାଲି ସନ୍ଧ୍ୟା ବେଳେ ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ରାତିରେ ଘରେ ସେ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ସୋନପୁର ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଦୀର୍ଘ ବର୍ଷ ଧରି ସରକାରଙ୍କ ପୂର୍ତ୍ତ ବିଭାଗ କାମ ଗୁଡ଼ିକୁ ଅତ୍ୟନ୍ତ ସଚ୍ଚୋଟତା ଓ ନିଷ୍ଠାର ସହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହା ସହ ସେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଦୀର୍ଘ ଦିନ ଧରି ସଭାପତି ରହି ଆସିଥିବା ବେଳେ ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ଥିଲେ । କେନ୍ଦ୍ରର ଉନ୍ନତି ଓ ଶିକ୍ଷା ପ୍ରସାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ସେ ମାରୱାଡି ସମାଜର ଦୀର୍ଘ ବର୍ଷ ଧରି ସଭାପତି ମଧ୍ୟ ଥିଲେ । କାର୍ଯ୍ୟକ୍ଷେତ୍ରରେ ସେ ଜଣେ ସରଳ, ମିଷ୍ଟଭାଷୀ ଓ କର୍ତ୍ତବ୍ୟପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ମାରୱାଡି ସମାଜ ତଥା ସୁବର୍ଣ୍ଣପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀର ଘରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମାରୱାଡି ସମାଜର ବ୍ୟକ୍ତି ବିଶେଷ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବରିଷ୍ଟ ସଦସ୍ୟ ଇନ୍ଦ୍ରମଣୀ ଦାଶ, ହରି ନାରାୟଣ ତ୍ରିପାଠୀ, ମଦନ ମୋହନ ଦାନୀ, ଲକ୍ଷ୍ମୀ ନାରାୟଣ ମହାନ୍ତି, ଡ. ଜ୍ୟୋତି ରଞ୍ଜନ ବହିଦାର ପ୍ରମୁଖଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅନ୍ତିମ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ରାମେଶ୍ୱର ସଙ୍ଗମ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

Leave A Reply

Your email address will not be published.