jayashree

ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ସ୍ଥିତ ପ୍ରସିଦ୍ଧ ଶ୍ରୀ ନୃସିଂହ ମନ୍ଦିରରେ ପବିତ୍ର କାର୍ତ୍ତିକ ମାସ ଅବସରରେ ତୁଳସୀ ରାମାୟଣ ତଥା ନବାହ ପରାୟଣ ୯ ଦିନ ଧରି ମହା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ଶୁକ୍ଲପକ୍ଷ ଷଷ୍ଠୀ ତିଥିରୁ ଏହି ପବିତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଚତୁର୍ଦ୍ଦଶୀ ଦିନ ହୋମଯଜ୍ଞ ସହ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମହାନଦୀ ତେନ୍ତୁଳିଘାଟରୁ ଭକ୍ତମାନଙ୍କ ଦ୍ୱାରା ଭବ୍ୟ କଳସ ଯାତ୍ରା ବାହାରି ସହର ପରିକ୍ରମା କରି ମନ୍ଦିରରେ ପହଞ୍ଚିଥିଲା । ଶଙ୍ଖ, ଘଣ୍ଟ, ହୁଳହୁଳି ଓ ହରିବୋଲ ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା । ପରେ ବିଧିବଦ୍ଧ ଭାବେ କଳସ ସ୍ଥାପନା କରାଯାଇ ପରାୟଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିରର ମୁଖ୍ୟ ପୂଜକ ସରୋଜ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ତାଙ୍କୁ ଆନନ୍ଦ ଦାଶ ଓ ଶୁକଦେବ ଶତପଥୀ ସହଯୋଗ କରିଥିଲେ । ୯ ଦିନ ଧରି ଚାଲିଥିବା ଏହି ପରାୟଣରେ ୯ ଜଣ କର୍ତ୍ତା ଓ ୯ ଜଣ ବ୍ୟାସ ନିଜ ନିଜ ଦାୟିତ୍ୱ ତୁଳାଇଥିଲେ । ମୁଖ୍ୟ କର୍ତ୍ତା ଭାବେ ରାଜ କିଶୋର ତ୍ରିପାଠୀ ଓ ରଶ୍ମିତା ମିଶ୍ର ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରତିଦିନ ସକାଳୁ ମନ୍ଦିରରେ ମଙ୍ଗଳ ଆରତୀ, ପୂଜାର୍ଚ୍ଚନା ପରେ ତୁଳସୀ ରାମାୟଣ ପାଠ ଆରମ୍ଭ ହେଉଥିଲା । ବ୍ୟାସମାନେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଠାରୁ ଆରମ୍ଭ କରି ବନବାସ, ସୀତା ହରଣ, ଲଙ୍କା ଦହନ ଓ ରାବଣ ବଧ ପର୍ଯ୍ୟନ୍ତ ବିଭିନ୍ନ ଲୀଳା କଥା ସରସ ଭାବେ ବର୍ଣ୍ଣନା କରୁଥିଲେ । ଭଜନ, କୀର୍ତ୍ତନ ଓ ନାମ ସଂକୀର୍ତ୍ତନରେ ମନ୍ଦିର ପରିସର ଭକ୍ତିମୟ ହୋଇ ଉଠୁଥିଲା । ଶହ ଶହ ଶ୍ରଦ୍ଧାଳୁ ପ୍ରତିଦିନ ପରାୟଣ ଶ୍ରବଣ କରିବା ସହ ପ୍ରସାଦ ସେବନ କରିଥିଲେ । କାର୍ତ୍ତିକ ମାସ ଧର୍ମ ସାଧନା ପାଇଁ ଅତ୍ୟନ୍ତ ପୁଣ୍ୟ ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ରାମାୟଣ ପାଠ ଶ୍ରବଣ କଲେ ସମସ୍ତ ପାପ ନାଶ ହୋଇ ମନକୁ ଶାନ୍ତି ମିଳେ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ସେଥିପାଇଁ ବଡ଼ବଜାର ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଦଯାପନୀ ଦିବସ ଚତୁର୍ଦ୍ଦଶୀ ଦିନ ବିଧି ଅନୁଯାୟୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପୂଜକମାନେ ମନ୍ତ୍ରୋଚ୍ଚାରଣ ସହ ଆହୁତି ପ୍ରଦାନ କରିଥିଲେ । ପରେ ପୂର୍ଣ୍ଣାହୁତି ଓ ମହା ଆରତୀ ପରେ ସମସ୍ତ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା । ନୃସିଂହ ମନ୍ଦିର ମହିଳା ଆଳତୀ ସଦସ୍ୟାଙ୍କ ପ୍ରମୁଖ ସହଯୋଗରେ ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଥିଲା । ଶେଷରେ ମନ୍ଦିର ପକ୍ଷରୁ ସମସ୍ତ କର୍ତ୍ତା, ବ୍ୟାସ ଓ ସହଯୋଗ କରିଥିବା ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା ।

Leave A Reply

Your email address will not be published.