
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଥମୁନି ଚୋରି ଘଟଣା । ଏଥର ଚୋରଙ୍କ ଟାର୍ଗେଟ୍ରେ ଏକ ସେଲୁନ୍ । ପାଟଣା ଛକ ନିକଟସ୍ଥ ହେୟାର ଆଣ୍ଡ କେୟାର ସେଲୁନ୍ରୁ ଦୁର୍ବୃତ୍ତମାନେ ପ୍ରାୟ ୮ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଝାଡ଼ଖଣ୍ଡର ବ୍ୟବସାୟୀ ଏମ୍.ଡି. ଆଜମ ଗତ ୩ ବର୍ଷ ଧରି ବଲାଙ୍ଗିରରେ ଏହି ସେଲୁନ୍ ଚଳାଇ ଆସୁଛନ୍ତି । ନୂଆ ସେଲୁନ୍ ଖୋଲିବା ପାଇଁ ରଖିଥିବା ଟଙ୍କା ସହ ଦୋକାନର ବିକ୍ରି ଟଙ୍କା ମିଶାଇ ମୋଟ ୮ ଲକ୍ଷ ଟଙ୍କା ଏକ ବ୍ୟାଗରେ ରଖିଥିଲେ । ଗତକାଲି ରାତିରେ ସେଲୁନ୍ ବନ୍ଦ କରି ମାଲିକ ଘରକୁ ଯାଇଥିବା ବେଳେ ରାତିର ଅନ୍ଧାରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଦୋକାନକୁ ଆସି ଦେଖିବା ବେଳକୁ ସଟରର ତାଲା କଟାଯାଇଥିଲା । ଭିତରେ ଥିବା ଟଙ୍କା ବ୍ୟାଗ୍ ମଧ୍ୟ ଗାଏବ ଥିଲା । ସିସିଟିଭି ଫୁଟେଜରେ ମୁଣ୍ଡରେ ଗାମୁଛା ଘୋଡ଼ାଇ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଆସୁଥିବାର ଦୃଶ୍ୟ କଏଦ ହୋଇଛି । ଅନ୍ୟପଟେ ଘରକୁ ଫେରିବା ବାଟରେ କିଛି ଅସାମାଜିକ ଯୁବକ ଟଙ୍କା ମାଗି ହଇରାଣ କରୁଥିବାରୁ ଭୟରେ ଦୋକାନରେ ଟଙ୍କା ରଖିଥିବା କହିଛନ୍ତି ମାଲିକ । ଅଭିଯୋଗ ପରେ ଟାଉନ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମାତ୍ର ୩ ଦିନ ପୂର୍ବରୁ ସହରର ଏକ ସିଏସ୍ପି ସେଣ୍ଟରରୁ ମଧ୍ୟ ଚୋରି ହୋଇଥିଲା । ସହରରେ ଲଗାତାର ଚୋରି ଘଟଣାକୁ ନେଇ ବ୍ୟବସାୟୀଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଛନକା ପଶିଛି । ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ।