centurian jitm

ଭତ୍ତା ଟଙ୍କା ପାଇଁ ବୃଦ୍ଧାଙ୍କ ଜୀବନ ନେଇଗଲା ସମ୍ପର୍କୀୟ

nschool

ନୂଆପଡ଼ା, (କେପିଏନ୍‌ଏସ୍‌) : ଭତ୍ତା ଟଙ୍କା ପାଇଁ ବୃଦ୍ଧାଙ୍କ ଜୀବନ ନେଇଗଲା ସମ୍ପର୍କୀୟ । ତଦନ୍ତ ପରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା କୋମନା ପୋଲିସ । ଏନେଇ ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି । ନୂଆପଡା ଜିଲ୍ଲା କୋମନା ଥାନା ଟିକ୍ରାପଡା ଗାଁରେ ଏଭଳି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ହୀରାଦେଇ ପହରିଆଙ୍କ ମୃତଦେହ ପାଖ ବଡ଼ବନ୍ଧରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ବୃଦ୍ଧାଙ୍କୁ ତଣ୍ଟି ଚିପି ମାରିବା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ନିଜ ଗାମୁଛା ଓ ସାର୍ଟରେ ମୃତଦେହ ବେକରେ ପଥର ବାନ୍ଧି ପୋଖରୀରେ ଫିଙ୍ଗି ଦେଇଥିଲା । ଘଟଣାର ତଦନ୍ତ କରି ଶେଷରେ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚି ପାରିଥିଲା । ଅଭିଯୁକ୍ତ ଦୁଇ ଜଣଙ୍କ ଭିତରୁ ଜଣେ ଟିକ୍ରାପଡାର ଗଣ୍ଡାରାମ ପହରିଆ ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଭରୁଆମୁଣ୍ଡା ଗ୍ରାମର କରନ ପହରିଆ । ବୃଦ୍ଧା ଜଣକ ପାଉଥିବା ୩୫ ଶହ ଭତ୍ତା ଟଙ୍କାକୁ ପ୍ରଥମେ ଗଣ୍ଡାରାମଙ୍କୁ ଦେଉଥିବା ବେଳେ ପରେ ଅନ୍ୟ ଜଣେ ବ୍ୟକ୍ତି ବୁଡୁ ପହରିଆଙ୍କ ପାଖରେ ରଖି ଖର୍ଚ୍ଚ କରୁଥିଲା । ଯାହାକୁ ଗଣ୍ଡାରାମ ବିରୋଧ କରିବା ସହ ପ୍ରତିଶୋଧ ପାରାୟଣ ହୋଇ କରନ ସହ ଯୋଜନା କରି ୧୯ ତାରିଖ ରାତିରେ ବୁଡୁର ଅନୁପସ୍ଥିତିରେ ବୃଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ମାତ୍ର ୩୫ ସହ ଟଙ୍କା ପାଇଁ ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିବା ସହ ତାକୁ ସହଯୋଗ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ନେଇ ନୂଆପଡା ଏସ୍‌ପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.