ଗାଧୋଉଥିବା ବେଳେ ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ଗଞ୍ଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ଗାଧୋଉଥିବା ବେଳେ ଭାସିଗଲେ ୨ ଭାଇ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ସେମାନେ ହେଲେ କୃଷ୍ଣ ଚନ୍ଦ୍ର ମହାନ୍ତି (୧୫) ଏବଂ କାହ୍ନୁ ଚରଣ ମହାନ୍ତି (୧୨) । ତେବେ ସାନ ଭାଇକୁ ଉଦ୍ଧାର କରାଯାଇଥିବା ବେଳେ ବଡ ଭାଇ ଭାସିଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତକାଲି ଦୁଇ ଭାଇ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଏହା ଦେଖି ନିକଟରେ ଗାଧୋଉଥିବା ଜଣେ ମହିଳା ସାହାସିକତାର ସହ ପାଣି ମଧ୍ୟରେ ପଶି ସାନଭାଇ କାହ୍ନୁ ଚରଣଙ୍କୁ ଉଦ୍ଧାର କରିଥିବା ବେଳେ ବଡଭାଇ କୃଷ୍ଣ ଚନ୍ଦ୍ର ପାଣି ସ୍ରୋତରେ ଭାସି ଯାଇଥିଲେ । ଉଦ୍ଧାର ହୋଇଥିବା କାହ୍ନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି । ଖବରପାଇ ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ଘଟଣାସ୍ଥଳରେ ପହଞ୍ଚି ଓଡ୍ରାଫ ଟିମ୍‌ ଓ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟେ ଓଡ୍ରାଫ ଓ ଦମକଳ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀର ପାଣି ସ୍ରୋତରେ ବୋଟ ମାଧ୍ୟମରେ ପଶି ଖୋଜିବାରେ ଲାଗିଥିବା ବେଳେ ଗ୍ରାମବାସୀ ମଧ୍ୟ ଖୋଜିବାରେ ଲାଗିଛନ୍ତି ।

Leave A Reply

Your email address will not be published.