ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ୪ ଗୋରୁ ମୃତ : ଡ୍ରାଇଭର ଗୁରୁତର

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ସୋର-କୁପାରୀ ରାସ୍ତାର ତୁଟ ଛକ ନିକଟରେ ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୪ ଗୋରୁଙ୍କ ମୃତ ହୋଇଥିବା ଜଣାପଡିଛି । ଗାଡ଼ି ଚାଳକ ଗୁରୁତର ହୋଇ ଖଇରା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଖଇରା ଅଞ୍ଚଳରୁ ଏକ ପିକ୍‌ଅପ୍‌ ସାହାଯ୍ୟରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ସମୟରେ ସୋର-କୁପାରୀ ରାସ୍ତାର ତୁଟ ଛକ ନିକଟରେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ି ଚାଳକ ଜଣକ ଗୁରୁତର ହୋଇଥିବା ବେଳେ ୪ଟି ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଦେଖି ଖଇରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରି ତଦନ୍ତ ଚଳାଇଛି । ଅନ୍ୟପଟେ ପିକ୍‌ଅପ୍‌ରେ ୮ଟି ଗୋରୁ ଥିବାବେଳେ ଖଇରା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଥିଲା । ସେଥିରୁ ୪ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଟି ଗୋରୁଙ୍କୁ ବାହାରେ ଛାଡ଼ି ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.