
ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଉପଲକ୍ଷେ ନାଟ୍ୟାନୁଷ୍ଠାନ ପଞ୍ଚତତ୍ୱ, ରାଉରକେଲା ଓ ପୋପେଟ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସେକ୍ଟର ୨ସ୍ଥିତ ଖରିଆ ବାହାଲ ବସ୍ତି ଠାରେ ଏକ ପଥପ୍ରାନ୍ତ ନାଟକ ନା ତାର କୃଷକ ମଞ୍ଚସ୍ଥ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ ସମର ମୁଦାଲି ମୁଖ୍ୟ ଅତିଥି, ବିଶେଷ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, କବି ଆର୍ତ୍ତତ୍ରାଣ ମହାପାତ୍ର ଓ ସମାଜସେବୀ ମୁକ୍ତିକାନ୍ତ ବିତ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ନାଟକରେ ଅଭିନେତା ଅଭିନେତ୍ରୀ ମାନେ ଚାଷୀର ପରିଶ୍ରମ, ବାତ୍ୟା, ମରୁଡି, ଦାଦନ ଶ୍ରମିକ, ଶିଶୁ ବିକ୍ରି, ଜମି ଜଳ ଜଙ୍ଗଲର ସୁରକ୍ଷା, ସବୁଜ ବିପ୍ଲବର ପ୍ରଭାବ ସମ୍ପର୍କରେ ଅଭିନୟ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସାମ୍ପ୍ରତିକ ସ୍ଥିତିରେ ଚାଷକୁ ଗୁରୁତ୍ୱ ଦେବା ସହ ଶିକ୍ଷା ବ୍ୟବସ୍ଥାରେ ଏହାକୁ ସାମିଲ କରିବା ଦରକାର । ଜମି ଜଳ ଜଙ୍ଗଲକୁ ବଞ୍ଚାଇ ରଖିଲେ ତଥା ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ସମସ୍ତଙ୍କ ପାଇଁ ଖାଦ୍ୟର ଅଭାବ ରହିବ ନାହିଁ । ଏଭଳି ନାଟକ ସମାଜକୁ ବାର୍ତ୍ତା ଦେଉଥିବାରୁ ଅନୁଷ୍ଠାନକୁ ସାଧୁବାଦ୍ ଦିଆଯାଇଥିଲା । ନିହାର ରଞ୍ଜନ ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ ଆୟୋଜିତ ଏହି ନାଟକରେ ଶୁଭସ୍ମିତା, ଅମିଷା, ଐଶ୍ୱର୍ଯ୍ୟା, ଶୁଭମ୍, ଶ୍ରୀକାନ୍ତ, ସ୍ୱାଭିମାନ ଅଭିନୟ କରିଥିଲା ବେଳେ ସାନିଆ ସାହୁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଅବିନାଶ ମହାପାତ୍ର ମଞ୍ଚ ସଂଯୋଜନାରେ ପ୍ରାରମ୍ଭରେ ସାନିଆ, ପ୍ରେମ, ଅମିଷା ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ ଦାସ, ପ୍ରେମ ନାଗ, ବନ୍ଦନା, ଶିବାନୀ, ପ୍ରିୟମ୍ବଦା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ନାଟକକୁ ଶତାଧିକ ବସ୍ତି ବାସିନ୍ଦା ଉପଭୋଗ କରିଥିଲେ ।