ଶ୍ରମିକଙ୍କ ପାଇଁ ବରଦାନ ପାଲଟିଛି ମନରେଗା ଓ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା

  • ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ନିଜର ଅନୁଭୂତି ବଖାଣିଲେ ହିତାଧିକାରୀ ଶ୍ରମିକ

ଭୁବନେଶ୍ୱର, (ପିଆଇବି) : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଜରିଆରେ ସାଧାରଣ ଶ୍ରମିକଙ୍କୁ ରୋଜଗାର ଗ୍ୟାରେଣ୍ଟି ଦେଉଛନ୍ତି ମୋଦୀ ସରକାର । ଅନ୍ୟପଟେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଜରିଆରେ ପ୍ରବାସୀ ଶ୍ରମିକ ଦେଶର ଯେକୌଣସି ସ୍ଥାନରେ ରାସନ ପାଇପାରୁଛନ୍ତି । ମୋଦୀ ସରକାରଙ୍କ ଏ ଦୁଇଟି ଯୋଜନା ଶ୍ରମିକଙ୍କ ପାଇଁ ବରଦାନ ପାଲଟିବା ସହିତ ସେମାନଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରୁଛି । ବର୍ତ୍ତମାନ ଓଡ଼ିଶାରେ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ଅନୁଭୂତି ପ୍ରକାଶ କରି ଶ୍ରମିକ ବର୍ଗର ଲୋକମାନେ ମନରେଗା ଓ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାକୁ ପ୍ରଶଂସା କରିବା ସହିତ ଏହି ଦୁଇଟି ଯୋଜନାର ସୁଫଳ ପାଇଥିବାରୁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଧୁଲିପୁଟ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପହଞ୍ଚିବା ଅବସରରେ ସ୍ଥାନୀୟ ଶ୍ରମିକମାନେ ଏଥିରେ ସାମିଲ ହୋଇ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଥିଲା । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ବର୍ଷକୁ ଅତିକ୍ରମେ ୧୦୦ ଦିନର ନିଶ୍ଚିତ ରୋଜଗାର ମିଳିପାରୁଛି । ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମନରେଗା ଶ୍ରମିକମାନଙ୍କର ଦୈନିକ ମଜୁରି ବୃଦ୍ଧି କରିଥିଲେ । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏକ ଚାହିଦା ଆଧାରିତ ରୋଜଗାର କାର୍ଯ୍ୟକ୍ରମ ଭାବେ ମନରେଗା ଯୋଜନାକୁ କାର୍ଯ୍ୟକାରୀ କରୁଛି । ଏହି ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ସରକାର କ୍ରମାଗତ ଭାବେ ପାଣ୍ଠି ଯୋଗାଇ ଦେଉଛନ୍ତି ଏବଂ କାମର ଚାହିଦା ଅନୁସାରେ ପାଣ୍ଠି ଯୋଗାଇ ଦିଆଯାଉଛି । କେବଳ ସେତିକି ନୁହେଁ ଠିକ୍ ସମୟରେ ଶ୍ରମିକଙ୍କୁ ମଜୁରି ପ୍ରଦାନ ସୁନିଶ୍ଚିତ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୯୯.୧୨ ପ୍ରତିଶତ ମଜୁରି ପଇଠ ଆଦେଶ ୧୫ ଦିନ ମଧ୍ୟରେ ଜାରି କରାଯାଇଛି । ଜବ କାର୍ଡଧାରୀ ମନରେଗା ଶ୍ରମିକଙ୍କୁ ଆଧାର ଆଧାରିତ ଅର୍ଥ ପଇଠ ବ୍ୟବସ୍ଥା ଜରିଆରେ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରାଯାଉଛି । ଏହା ଦ୍ୱାରା ଶ୍ରମିକ ବର୍ଗଙ୍କ ଆର୍ଥିକ ସଶକ୍ତିକରଣ, ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ ହେଉଛି । ଅନ୍ୟପକ୍ଷରେ ଅଗଷ୍ଟ ୨୦୧୯ରେ ୪ଟି ରାଜ୍ୟରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଏବେ ସାରା ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହୋଇଛି । ଏହା ଜରିଆରେ ପ୍ରାୟ ୧୦୦ ପ୍ରତିଶତ ବା ପ୍ରାୟ ୮୦ କୋଟି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ରାସନ କାର୍ଡ ପୋର୍ଟେବଲିଟୀ ହୋଇପାରିଛି । ଫଳରେ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ନିଜର ରାସନ କାର୍ଡ ଦେଖାଇ ମାଗଣା ଖାଦ୍ୟଶସ୍ୟ ପାଇପାରୁଛନ୍ତି । ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାରେ ୧୨୫ କୋଟି ପୋର୍ଟେବଲିଟୀ କାରବାର ମାଧ୍ୟମରେ ୨୪୧ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ବିତରଣ କରାଯାଇଛି । ଯେଉଁଥିରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ହୋଇଥିବା କାରବାର ସାମିଲ ରହିଛି ।

Leave A Reply

Your email address will not be published.