pakka

ଛେଳି ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ସରପଂଚ ଗିରଫ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲାଦାନୀ ପଂଚାୟତ ସରପଂଚ ଗନ୍ଧର୍ବ ପୁଝାରୀ ଜଣେ ଛେଳି ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍ ଅଭିଯୋଗରେ ଆଜି ଗିରଫ ହୋଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୩ ତାରିଖ ଦିନ ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ମଣ୍ଡଳପଦର ଗ୍ରାମର ଛେଳି ବ୍ୟବସାୟୀ ଈଶ୍ୱର ନାୟକ, ସରପଂଚ ଗନ୍ଧର୍ବ ପୁଝାରୀ ଓ ବାଇଜରକା ଗ୍ରାମର ପିତବାସ ପାତ୍ର ସମସ୍ତେ ମିଶି ପ୍ରଚୁର ମଦ୍ୟପାନ କରିଥିଲେ । ସେହି ସମୟରେ ଗନ୍ଧର୍ବ ପୁଝାରୀ ପାଖରେ ଥିବା ମଦକୁ ଈଶ୍ୱର ନାୟକଙ୍କ ମୁହଁ ଉପରେ ଢାଳିଦେଇଥିଲା । ଘଟଣା ସ୍ଥଳରେ ଈଶ୍ୱର ଚେତା ଶୂନ୍ୟ ହୋଇପଡିଥିଲେ । ତାହାର ସୁଯୋଗ ନେଇ ଈଶ୍ୱର ପାଖରେ ଥିବା ୧ ଲକ୍ଷ ୨୩ ହଜାର ଟଙ୍କାକୁ ସରପଂଚ ଗନ୍ଧର୍ବ ଲୁଟି ନେଇଥିବା ବେଳେ ପିତବାସ ପାତ୍ର ଈଶ୍ୱରକୁ ଅଚେତ ଅବସ୍ଥାରେ ହରଲଙ୍ଗା ନିକଟସ୍ଥ ବୁଢିପଦର ପୋଲତଳେ ଫିଙ୍ଗି ଦେଇଥିଲେ । ହେଲେ ଦୁଇଦିନ ପର୍ୟ୍ୟନ୍ତ ଈଶ୍ୱର ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗତ ୧୫ ତାରିଖ ଦିନ ପୋଲ ନିକଟସ୍ଥ ରାସ୍ତାକଡରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଈଶ୍ୱରକୁ ତୁମୁଡିବନ୍ଧ, ବାଲିଗୁଡା ଓ ପରେ ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ହସପିଟାଲରେ ଚିକିତ୍ସା କରାଇଥିଲେ । ଈଶ୍ୱର ସୁସ୍ଥ ହେବା ପରେ ପରିବାର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ପରେ ତାଙ୍କ ପୁଅ ଦୟାନିଧି ନାୟକ ମ.ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ମ.ରାମପୁର ପୋଲିସ ତଦନ୍ତ କରି ଆଜି ଦଫା ୩୦୭/୩୯୪ରେ ମାମଲା ରୁଜୁ କରି ଗନ୍ଧର୍ବ ଓ ତାହାର ସହଯୋଗୀ ପିତବାସକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଜଣେ ସଂପୃକ୍ତ ଥିବା ସହଯୋଗୀ ଫେରାର ଥିବା ମ.ରାମପୁର ଥାନା ଆଇଆଇସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

twelve + three =