ଆପାଚି ଗ୍ୟାଙ୍ଗ ପୁଣି ଥରେ ମାତିଲେ : ଲୁଟି ନେଲେ ୨ ଲକ୍ଷ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ବଢ଼ିବାକୁ ଲାଗିଛି ଲୁଟ୍‌ ଓ ରାହାଜାନୀ । ଦିନ ଦ୍ବିପହରରେ ଲୁଟି ନେଉଛନ୍ତି ଲୁଟେରା ଓ ପୋଲିସ ଆଖିରେ ଧୂଳି ଦେଇ ଫେରାର ମାରୁଛନ୍ତି । ଗତ ଚାରି ଦିନ ମଧ୍ୟରେ ଆଜି ଦ୍ଵିତୀୟ ଥର ଲୁଟ୍‌ ହୋଇଛି ଟିଟିଲାଗଡ ସହରରେ । ଆଜି ଠିକାଦାରପଡ଼ା ସ୍ଥିତ ମହେଶ ଅଗ୍ରୱାଲଙ୍କ ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଠିକାଦାରପଡ଼ାରେ ରହୁଥିବା ଠିକାଦାର ମହେଶ ଅଗ୍ରୱାଲଙ୍କ ଡ୍ରାଇଭର ଅବଦୁଲ ରଜାକ ଓ ତାଙ୍କ ମୁନ୍‌ସୀ କୁଞ୍ଜ ବାଗ ସୁପର ଏକ୍ସସେଲ ଗାଡ଼ିରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଣ କରି ମହେଶଙ୍କ ଘରକୁ ଆସୁଥିବା ସମୟରେ ଠିକାଦାରପଡ଼ାରେ ଥିବା ଓରିଜିନାଲ ଗୋୟଲ୍ ବେକେରୀ ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ପଛପଟୁ ଆପଚିରେ ଆସି ଟଙ୍କା ବ୍ୟାଗକୁ ଲୁଟି ନେଇ ଫେରାର୍‌ ମାରିଥିଲେ । ସେହି ସମୟରେ କୁଞ୍ଜ ଓ ରଜାକ୍ ଉକ୍ତ ଲୁଟେରା ମାନଙ୍କୁ ଦଉଡ଼ି ଧରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଲୁଟେରା ଫେରାର ମାରିବାରେ ସଫଳ ହୋଇଥିଲେ । ପରେ ରଜାକ୍‌ ଓ କୁଞ୍ଜଙ୍କ ପାଖରୁ ଘଟଣା ଜାଣିବା ପରେ ମହେଶ ଅଗ୍ରୱାଲ ଟିଟିଲାଗଡ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ । ଟିଟିଲାଗଡ ପୋଲିସ ଖବର ପାଇବା ମାତ୍ରେ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନେତୃତ୍ୱରେ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଥିବା ସିସି ଟିଭି ଗୁଡ଼ିକ ଯାଞ୍ଚ କରିବା ସହ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି । ସେହିପରି ଗତ ବୁଧବାର ଦିନ ସହରରେ ଥିବା ଜୟନ୍ତୀ ହୋଟେଲ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ପାଖରୁ ୪୦ ହଜାର ଟଙ୍କା ଲୁଟି ନେଇଥିବା ଘଟଣା ଚର୍ଚ୍ଚା ହେଉଥିଲା । କିନ୍ତୁ ପୋଲିସର ଗୋଟିଏ ଘଟଣାର ଅନୁସନ୍ଧାନ ନ ସରୁଣୁ ଅନ୍ୟ ଏକ ଲୁଟ୍‌ ହୋଇଥିବା ଯୋଗୁଁ ସହରରେ ଭୟର ବାତାବରଣ ଦେଖାଦେଇଛି । ସହରରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି । ଲୁଟେରା ସହରରେ ବେଧଡକ ଲୁଟି ନେଇ ପୋଲିସ ଆଖିରେ ଧୂଳି ଦେଇ ଫେରାର ମାରୁଛି । କିନ୍ତୁ ପୋଲିସ ଲୁଟେରା ମାନଙ୍କୁ ଧରିବାରେ ଅକ୍ଷମ ସାବ୍ୟସ୍ତ ହୋଇଥିବା ବୁଦ୍ଧଜୀବୀମାନେ ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.

1 × 3 =