‘କୋଶଳ ପ୍ରବାହ’ର ପ୍ରଭାବ : କାଠ ପୋଲ ନିର୍ମାଣ ଘଟଣା, ମନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀ ପହଞ୍ଚିଲେ ଅପହଞ୍ଚ ଗାଁ କୁଟୁରାକେନ୍ଦ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ମହୁଳପଡ଼ା ପଞ୍ଚାୟତର କୁଟୁରାକେନ୍ଦ ଗ୍ରାମରେ ପ୍ରଶାସନ ପାଖରୁ ନିରାଶ ହୋଇ ଗ୍ରାମବାସୀ ଶ୍ରମଦାନ କରି ନିର୍ମାଣ କରିଛନ୍ତି ଏକ କାଠ ପୋଲ । ଏହି ଖବର ‘କୋଶଳ ପ୍ରବାହ’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହେବା ପରେ ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ପୋଲ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀମତୀ ସାହୁ ବିଭାଗୀୟ ଅଧିକାରୀଙ୍କ ସହିତ କୁଟୁରାକେନ୍ଦ ଗ୍ରାମବାସୀ ନିର୍ମାଣ କରିଥିବା ପୋଲ ଦେଇ ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଗ୍ରାମବାସୀ ଏହା ଜାଣି ଶ୍ରୀମତୀ ସାହୁଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇ ଗ୍ରାମରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କୋଟିଏ ଟଙ୍କାରେ ନିର୍ମାଣ ହେବାକୁ ଥିବା ପୋଲ, ୨୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦୁଇଟି କଲଭର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଡିପିଆର ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଜଣାଇଛନ୍ତି ଯେ, କୁଟୁରାକେନ୍ଦ ଗ୍ରାମର ବିକାଶ ସହ ଯାତାୟାତ ସଂଯୋଗ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ପୋଲ ଓ ନାଳ ଉପରେ ବ୍ରିଜ ଓ କଲର୍ଭଟ ନିର୍ମାଣ କରିବା ପାଇଁ ଚିଠି ନମ୍ବର ୫୪୮ରେ ଗତ ଜାନୁଆରୀ ୨୩ ତାରିଖରେ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ ବିଜୁ ସେତୁ ଯୋଜନାରେ କୋଟିଏ ଟଙ୍କାର ବ୍ରିଜ ଓ ୨୦ ଲକ୍ଷ ଟଙ୍କାର ୨ଟି କଲର୍ଭଟ ନିର୍ମାଣ କରିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜିଲ୍ଲା ଯୋଜନା ବିଭାଗକୁ ପ୍ରସ୍ତାବ ଦେଇଥିଲା । ଏହି କ୍ରମରେ ଯୋଜନା ବିଭାଗ ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀଙ୍କୁ ଗତ ଫେବୃଆରୀ ମାସ ୩ ତାରିଖରେ ଏହାକୁ କାର୍ଯ୍ରକାରୀ କରିବା ପାଇଁ ଚିଠି ନମ୍ବର ୨୨୪ ମାଧ୍ୟମରେ ଭିତ୍ତିଭୂମି ତଦାରଖ ପାଇଁ ଜଣାଇଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକର ଇଚଗାଁ ଦିଗସିରା ଠାରେ ଉଦେର ନଦୀ ଉପରେ ସେତୁ ନିର୍ମାଣ, ଘୁଙ୍ଗରଚଲା କୁଣ୍ଡୋ ଜୋର ଉପରେ ସେତୁ ନିର୍ମାଣ, ସିଲଣ୍ଡା ଚାଁଟିପଲା ଟଙ୍କଜୋର ଉପରେ ସେତୁ ଓ ସାଗନାମୁଣ୍ଡା ସିରେକେଲା ଉଦେର ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଜଣାଇଛନ୍ତି । ବ୍ରିଜ ନିର୍ମାଣ ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ ସେ ସମ୍ଭବତଃ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି କହିଥିଲେ । ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟରେ ଆରଡବ୍ଲୁଏସଇ ଦେବେନ୍ଦ୍ର ସେଠ, ନିର୍ବାହୀଯନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ଅରୁଣ ବାଗ, ସୁନୀଲ ପଣ୍ଡା, ଅମରଜୀତ ବାଗ ଓ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight − 4 =