ବୁଡି ଅଂଚଳ ଅଗ୍ରଗାମୀ ସଂଘର ୧୧ ଦଫା ଦାବୀ : ଗୋଟିଏ ପ୍ରକଳ୍ପରେ ସର୍ବତ୍ର ଗୋଟିଏ ଆଇନ ଲାଗୁ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ଗତ ୨ ବର୍ଷରୁ ଅଧିକ ସମୟ ହେଲା ବନ୍ଦ ହୋଇ ପଡିରହିଛି । ଇତି ମଧ୍ୟରେ ନିର୍ମାଣ କାମ ପୁଣି ଆରମ୍ଭ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ବିସ୍ଥାପତିମାନେ ପୁଣି ବିରୋଧ କରିଛନ୍ତି । ପୂର୍ବରୁ ବୁଡି ଅଂଚଳର କେତେକ ଅଂଚଳର ଗ୍ରାମବାସୀ ୧୯୯୪ ମସିହା ଆଇନ ଅନୁଯାୟୀ କ୍ଷତିପୂରଣ ପାଇଥିବା ବେଳେ ଏବେ ୨୦୧୩ ଆଇନ ଅନୁଯାୟୀ କ୍ଷତିପୂରଣ ଦେବା ପାଇଁ ନୁତନ ପ୍ରସ୍ତାବ ରହିଛି । ତେଣୁ ଗୋଟିଏ ପ୍ରକଳ୍ପରେ ସର୍ବତ୍ର ଗୋଟିଏ ଆଇନ ଲାଗୁ କରାଯାଇ, ୨୦୧୩ ଆଇନ ଅନୁସାରେ ଏକକାଳୀନ ବିସ୍ଥାପିତମାନଙ୍କୁ ସମସ୍ତ ପ୍ରକାର କ୍ଷତିପୂରଣ ପ୍ରଦାନ କଲା ପରେ ଯାଇ କାମ ଆରମ୍ଭ ହୋଇପାରିବ ବୋଲି ବୁଡି ଅଂଚଳ ଅଗ୍ରଗାମୀ ସଂଘ ତରଫରୁ ବଲାଙ୍ଗିର ଯାଦବ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ କୁହାଯାଇଛି । ସଂଘର ସଭାପତି ଉପେନ୍ଦ୍ର ସାହୁ କହିଛନ୍ତି ଯେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସମସ୍ତ ଗ୍ରାମର ବିସ୍ଥାପିତଙ୍କୁ ଗୋଟାଏ ପ୍ରକଳ୍ପ ଓ ଗୋଟାଏ ଆଇନ ଅନୁସାରେ ୨୦୧୩ ନୂଆ ଆଇନ ଅନୁଯାୟୀ ବର୍ତ୍ତମାନ ବଜାର ଦରରେ ଘର, ଗଛ, କୂଅ, ଜମି ଇତ୍ୟାଦିର ଏକକାଳୀନ କ୍ଷତିପୂରଣ ପ୍ରଦାନ କରାଯାଉ । ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ପୁଅ ଓ ଝିଅଙ୍କ ସର୍ଭେ କରି ଏକକାଳୀନ ଥଇଥାନ ରାଶି ପ୍ରଦାନ କରାଯାଉ । ଜମିହୀନ ବିସ୍ଥାପତି ପରିବାରଙ୍କୁ ଚିହ୍ନଟ କରି ତାଙ୍କୁ ପାତର ଅନ୍ତର ନ କରି ବିସ୍ଥାପିତଙ୍କ ସହିତ ସମାନ ହିସାବରେ ଥଇଥାନ ରାଶି ପ୍ରଦାନ କରାଯାଉ । ଯେଉଁ ବିସ୍ଥାପିତଙ୍କୁ ସରକାରଙ୍କ ଥଇଥାନ କଲୋନୀରେ ଘରଡିହ ମିଳିନାହିଁ ଏବଂ ଯେଉଁମାନେ ଘରଡିହ ସହାୟତା ରାଶି ବଦଳରେ ଘରଡିହ ଚାହୁଁଛନ୍ତି ସେମାନଙ୍କୁ ଘରଡିହ ପ୍ରଦାନ କରାଯାଉ । ବିଭିନ୍ନ ଗ୍ରାମର ୧୮ ବର୍ଷରୁ ଉଦ୍ଧ୍ୱର୍ ବିସ୍ଥାପିତଙ୍କ ତାଲିକା ମଂଜୁର ପାଇଁ ଜଳସେଚନ ବିଭାଗ ପୁର୍ନବାସ ଓ ଥଇଥାନ ନିର୍ଦ୍ଦେଶକଙ୍କ ପାଖକୁ ୨ ବର୍ଷରୁ ଉଦ୍ଧ୍ୱର୍ର୍ ହେବ ଯାଇଛି । ତାହା ମଂଜୁର କରି ପ୍ରଦାନ କରାଯାଉ । ବିସ୍ଥାପିତଙ୍କ ନାମରେ ରୁଜୁ ହୋଇଥିବା ବିଭିନ୍ନ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ । ଆରପିଡିଏସିରେ ନୂତନ ସଭ୍ୟଙ୍କୁ ନିଆଯାଉ ଓ ପ୍ରତି ତିନି ମାସରେ ବୈଠକ ବସୁ । ଦୀର୍ଘ ୨୦ ବର୍ଷ ହେବ ବିସ୍ଥାପିତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜାନରୁ ବଂଚିତ କରାଯାଇଛି । ନୂତନ ଜାଗାରେ ଥଇଥାନ ହୋଇଥିବା ବିସ୍ଥାପିତଙ୍କୁ ଏହି ଯୋଜନାରେ ସାମିଲ କରାଯାଉ । ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ ଓ ବିଭିନ୍ନ ଜମି ବିବାଦୀୟ ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ଏକ ବିଚାରପତି କାର୍ଯ୍ୟାଳୟ ସ୍ଥାପନ କରାଯାଉ । ଆଂଶିକ କ୍ଷତିପ୍ରସ୍ତ ଗ୍ରାମକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଗ୍ରାମ ଭାବେ ଘୋଷଣା କରାଯାଉ । ଗୋଟାଏ ଗ୍ରାମର ସମସ୍ତଙ୍କୁ କ୍ଷତିପୂରଣ ଓ ଥଇଥାନା ରାଶି ଏକକାଳୀନ ପ୍ରଦାନ କରାଯିବା ପରେ ଅନ୍ୟ ଗ୍ରାମରେ କ୍ଷତିପୂରଣ ଓ ଥଇଥାନ ରାଶି ପ୍ରଦାନ କରାଯାଉ । ଫଳରେ ବିସ୍ଥାପତିମାନେ ଉଚିତ ଭାବେ କ୍ଷତିପୂରଣ ପାଇ ପାରିବେ ବୋଲି ସାଂବାଦିକ ସମ୍ମିଳନୀରେ କୁହାଯାଇଛି । ଏହା ସହିତ ଏହି ମର୍ମରେ ଏକ ୧୧ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି । ସାଂବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ରାଜପୁତ, ମଳୟ ମେହେର, ଉାମାକାନ୍ତ ଖୁଆସ, ଲଳିତ ଗଡତିୟା, ରାଜକୁମାର ପ୍ରଧାନ, ସୁବଳ ପଟେଲ, ଅର୍ଜୁନ ବେହେରା, ଧୀରେନ୍ଦ୍ର ନାଗ ଓ ବିଶ୍ୱାମିତ୍ର ପଢିଆରି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.