jayashree

ବଲାଙ୍ଗିର ଡାକ ମଣ୍ଡଳର ୧୩ତମ ଦ୍ଵିବାର୍ଷିକ ସମ୍ମିଳନୀ ତଥା ନୂତନ କର୍ମକର୍ତ୍ତା ଚୟନ

  • ସଭାପତି ଲବ ଭୋଇ ଓ ସମ୍ପାଦକ ରୂପେ ରମେଶ ଚନ୍ଦ୍ର ସାହୁ ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗିର ଡାକ ମଣ୍ଡଳର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସ୍ଥାନୀୟ ମାରୱାଡ଼ି ସେବା ସଦନ (ରାଧାରାଣୀପଡ଼ା)ଠାରେ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗିର ଡିଭିଜନର ଡାକ ଅଧୀକ୍ଷକ ରାଜକିଶୋର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସର୍କଲର ଉପ-ସଭାପତି କମ୍ରେଡ୍ ରୂପେଶ ବାଗ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ମଣ୍ଡଳ ସମ୍ପାଦକ ତଥା ଅବସରପ୍ରାପ୍ତ ପୋଷ୍ଟମାଷ୍ଟର କମ୍ରେଡ୍ ଲମ୍ବୋଦର ମିଶ୍ର ଏବଂ ସମ୍ୱଲପୁର ଡାକ ମଣ୍ଡଳର ସମ୍ପାଦକ କମ୍ରେଡ ମହେଶ ସାହୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ମହାରଣା ଡାକବିଭାଗର ସମସ୍ତଙ୍କ ସହଯୋଗରେ ମଣ୍ଡଳକୁ ଉନ୍ନତି ପଥରେ ନେବାକୁ ଆହ୍ୱାନ ଦେଇ, ସଙ୍ଘ ତଥା କର୍ମଚାରୀ ମାନଙ୍କୁ ସବୁ ପ୍ରକାର ସୁବିଧାସୁଯୋଗ ଦେବା ପାଇଁ ଆଶ୍ଵାସନା ଦେଇଥିବା ବେଳେ ମୁଖ୍ୟବକ୍ତା ବାଗ, ସଂଘର ଇତିହାସ, ମହତ୍ତ୍ୱ ତଥା ଅଷ୍ଟମ ବେତନ ତଥା ବିଭିନ୍ନ କର୍ମଚାରୀ ମାନଙ୍କ ବିକାଶ ବିଷୟରେ ଦୃଷ୍ଟି ଆକର୍ଷଣ କରିଲେ । ସମ୍ମାନନୀୟ ଅତିଥି ଶ୍ରୀ ମିଶ୍ର, ସଙ୍ଘର ବିଭିନ୍ନ ଦାୟିତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ କରିଥିବା ବେଳେ ସମ୍ମାନନୀୟ ଅତିଥି ଶ୍ରୀ ସାହୁ ସଙ୍ଘର ଆଗାମୀ “ମେମ୍ବରସିପ” ବାବଦରେ ବିସ୍ମୃତ ସମ୍ଭାଷଣ ରଖିଥିଲେ । ଅବସରପ୍ରାପ୍ତ ପୂର୍ବତନ କମ୍ରେଡମାନଙ୍କୁ ସଙ୍ଘ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଞ୍ଚର ସଭାପତିତ୍ୱ ଲବ ଭୋଇ ପରିଚାଳିତ ହୋଇଥିବା ବେଳେ ସ୍ୱାଗତ ସମିତିର ଅଧ୍ୟକ୍ଷ ସୁବାଷ ଷଡ଼ଙ୍ଗୀ ଓ ମଣ୍ଡଳ ସମ୍ପାଦକ ସରୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଟ୍ରେଡ ୟୁନିଅନ ଲିଡର ତଥା ସମାଜସେବୀ ରମେଶ ଚନ୍ଦ୍ର ସାହୁ ପରିଶେଷରେ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗଣତାନ୍ତ୍ରିକ ପଦ୍ଧତିରେ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ କରଯାଇଥିଲା । ସର୍ବସମ୍ମତି କ୍ରମେ ନୂତନ ଭାବେ ଲବ ଭୋଇ ସଭାପତି ହୋଇଥିବା ବେଳେ ରମେଶ ଚନ୍ଦ୍ର ସାହୁ ସମ୍ପାଦକ ହୋଇଥିଲେ । ଏହି ପରିପେକ୍ଷୀରେ ରମେଶ ଚନ୍ଦ୍ର ଡାଙ୍ଗ, ବିକ୍ରମ ସିଂ ଦଣ୍ଡସେନା ଓ ମୁନା ରଣା, ଉପ- ସଭାପତି ହୋଇଥିବା ବେଳେ ସହକାରୀ ସମ୍ପାଦକ (ହେଡ୍ କ୍ୱାର୍ଟର)ରେ ଆନନ୍ଦ କୁମାର ଦଳପତି ଏବଂ କୋଷାଧ୍ୟକ୍ଷ ଭାବରେ ଅନିଲ କୁମାର ପଟେଲ ନିର୍ବାଚିତ ହୋଇଥିଲେ । ଏହା ସହିତ ସଂଗଠନର ସୁପରିଚାଳନା ପାଇଁ ସହକାରୀ ସମ୍ପାଦକ, ସଂଗଠନ ସମ୍ପାଦକ, ଅଡିଟର ଏବଂ ସର୍କଲ କାଉନସିଲର ଭଳି ପଦବୀରେ ଅନ୍ୟ ସଦସ୍ୟମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନୂତନ ଭାବେ ନିର୍ବାଚିତ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ସମସ୍ତଙ୍କ ସହଯୋଗ ଏବଂ ଆଗାମୀ ଦିନରେ ବିଭିନ୍ନ ଉନ୍ନତ୍ତି ମୂଳକ ପଦକ୍ଷେପ ନେବାକୁ ଆଶାବାଦୀ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଡିଭିଜନର ବହୁ ସଂଖ୍ୟକ ଡାକ କର୍ମଚାରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.