jayashree

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ

  • ମହିଳା ହୋମଗାର୍ଡଙ୍କୁ ବେକରେ ଧରି ଘୋଷାଡ଼ିବା ଅଭିଯୋଗ, ୭ ଗିରଫ; ୨ ଫେରାର

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୁଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି । ଏଥିରେ ଜଣେ ମହିଳା ହୋମଗାର୍ଡଙ୍କୁ ବେକରେ ଧରି ତଳେ ପକାଇ ଘୋଷାଡ଼ିଥିବା ଅଭିଯୋଗ ହୋଇଛି । ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ଥିବା ଜଣାପଡ଼ିଛି । କଳାହାଣ୍ଡି ପୁଲିସର ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ୨୭ ତାରିଖ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ଏମ୍‌. ରାମପୁର ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ଖୋଲା ସ୍ଥାନରେ ଘୁଡ଼ୁଘୁଡ଼ୁ ପାଟି ମାଧ୍ୟମରେ ଟଙ୍କା ଲଗାଇ ଜୁଆ ଖେଳ ଚାଲିଥିବା ସୂଚନା ପାଇଥିଲା । ଏହାପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା । ପୁଲିସର ଅଭିଯୋଗ ଅନୁଯାୟୀ, ଏହି ସମୟରେ ଜୁଆଡ଼ିମାନେ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ପୁଲିସ ଗାଡ଼ି ଉପରକୁ ପଥରମାଡ଼ କରିଥିଲେ । ଏଥିସହ କର୍ମଚାରୀଙ୍କୁ ମାଡ଼ ମାରି ହତ୍ୟା ଧମକ ଦେଇଥିଲେ । ଡ୍ୟୁଟିରେ ଥିବା ମହିଳା ହୋମଗାର୍ଡ ନୀଳିମା ବାଗଙ୍କୁ ବେକରେ ଧରି ଘୋଷାଡ଼ିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଏମ୍‌. ରାମପୁର ଥାନାରେ କେସ୍‌ ନଂ ୨୭୧/୨୦୨୬ରେ ବିଏନ୍‌ଏସ୍‌ର ବିଭିନ୍ନ ଧାରା ଓ ଓପିଜି ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଘନଶ୍ୟାମ ରଣା (୬୩), ଦୟାନିଧି ଭୋଇ (୫୭), ଶକ୍ତି ପଟେଲ (୨୭), ସୁବ୍ରତ ମିଶ୍ର (୨୯), ଦେବରାଜ ଡାଣ୍ଡିଆ (୫୬), ରାଧେଶ୍ୟାମ ରଣା (୩୫) ଓ କାମଦେବ ପୋଢ଼ (୨୮)। ସେମାନଙ୍କ ନିକଟରୁ ନଗଦ ୧୩ ହଜାର ୨୦୦ ଟଙ୍କା, ୫ଟି ମୋବାଇଲ, ଗୋଟିଏ ମୋଟରସାଇକେଲ ଓ ଜୁଆ ଖେଳ ସାମଗ୍ରୀ ଜବତ ହୋଇଛି । ଏଏସ୍‌ଆଇ ବିଜୟ କୁମାର ବେନିଆଙ୍କ ରିପୋର୍ଟ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.