
ବରଗଡ଼, (ମୁନ୍ନା ସାହୁ) : ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସହାୟତାରେ ଆଜି ଶନିବାର ଏକ ଅଚିହ୍ନା ଶବ ସତ୍କାର କରାଯାଇଛି । ମୃତ ଶବ ଜଣେ ୩୦ରୁ ୪୦ ବର୍ଷ ଯୁବକର ହୋଇଥିବା ବେଳେ ଗତ ୨୧/୦୪/୨୦୨୫ରେ ବରଗଡ଼ କେନାଲରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠୁ ଖବର ପାଇବା ପରେ ଘଟଣା ସ୍ଥଳକୁ ବରଗଡ଼ ଟାଉନ ପୋଲିସ ପହଞ୍ଚି ବରଗଡ଼ ଟାଉନ ଥାନା ୧୪ /୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହିତ ମୃତ୍ୟୁର କାରଣ ଓ ମୃତ ବ୍ୟକ୍ତିଙ୍କ ପରିଚୟ ଶକାସେ ତଦନ୍ତ କରିଥିଲା, ହେଲେ ଆଜି ଶନିବାର ଘଟଣାର ୯୬ଘଣ୍ଟା ବିତିଯାଇଥିଲେ ମଧ୍ୟ ତାର କୌଣସି ପରିଚୟ ନମିଳିବାରୁ ଟାଉନ ଥାନା ବରଗଡ଼ର ଅନୁରୋଧ କ୍ରମେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ୱେଛାସେବୀ ମାନେ ଆଜି ମୃତକଙ୍କ ଶବ ସତ୍କାର କରିଥିଲେ । ୪୫ ଡିଗ୍ରୀ ଖରା ସାଙ୍ଗକୁ ଲୋକେ ଘରୁ ବାହାରିବା ପାଇଁ ଚିନ୍ତା କରୁଥିବା ବେଳେ ସଂକଳ୍ପ ପରିବାରର ସ୍ୱେଛାସେବୀ ମାନେ ଖରାକୁ ଖାତିର ନକରି ଖବର ପାଇବା ମାତ୍ରେ ବାହାରି ଯାଇଥିଲେ ଅଚିହ୍ନା ଶବ ସତ୍କାର କରିବା ପାଇଁ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସାରାଂକ୍ଷଣ ଗୃହରୁ ମହାପ୍ରୟାନ ଗାଡି ସାହାଯ୍ୟରେ ମୃତ ଶବ ବୋହିନେଇ ପିପାଳମୁଣ୍ଡାସ୍ଥିତ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିଥିଲେ । ସଂକଳ୍ପ ପରିବାରର ସମ୍ପାଦକ ଜି ରମେଶଙ୍କ ସହିତ ନୀଲେଶ ପଧାନ, ଚନ୍ଦନ ପଧାନ, ଶେଷଦେବ ପଧାନ, ଅନନ୍ତ ଚରଣ ପାଢ଼ୀ, ସାଶାଙ୍କ ଦୁବେ ପ୍ରମୁଖ ଶବ ସତ୍କାର କରିଥିଲେ ।