ଦେଓଗାଁ ସାଲେପାଲିରେ ବାଟବଣା ଗ୍ରାମୀଣ ଗୃହ ଯୋଜନା, ପିନ୍ଧା ଲୁଗା ଟାଙ୍ଗି ଚାରି ବର୍ଷ ହେଲା ରହୁଛନ୍ତି ଅସହାୟ ଦମ୍ପତ୍ତି : ପ୍ରସାଶନକୁ ଦଶ ଦିନର ମହଲତ ଦେଲେ କଂଗ୍ରେସ ନେତା

  • ଘର ମେଲା, ସ୍ୱଚ୍ଛ ମିଶନ ପାଇଖାନାରେ ଝୁଲୁଛି ତାଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମୀଣ ଗୃହ ଯୋଜନା ଅନ୍ତର୍ଗତ ଗାଁ ଗହଳିରେ ରହୁଥିବା ପ୍ରତ୍ୟେକ ଗରିବ ପରିବାରକୁ ପକ୍କା ଘର ପ୍ରଦାନ କରିବା ବ୍ୟବସ୍ଥା ରହିଛି । ସରକାର ମଧ୍ୟ ଅନେକ ସମୟରେ ଗ୍ରମାୀଣ ଗୃହ ଯୋଜନାକୁ ନେଇ ଅଧିକାରୀମାନଙ୍କ ପ୍ରଦତ୍ତ ରିପୋର୍ଟ କାର୍ଡକୁ ନେଇ ବାହାବାହ ନେଉଛନ୍ତି । କିନ୍ତୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ସଂପୁର୍ଣ୍ଣ ଅଲଗା । ଅନେକ ଅସହାୟ ଗରିବ ବାରମ୍ବାର ବ୍ଲକ ପ୍ରସାଶନ ପାଖକୁ ଘର ଖଣ୍ଡେ ପାଇଁ ଦଉଡି ଦଉଡି ନୟାନ୍ତ ହେଲେଣି । ଏପରି ଏକ ଘଟଣା ବଲାଙ୍ଗିର ବିଧାନସଭା ନିର୍ବାଚନୀ ମଣ୍ଡଳି ଅନ୍ତଗର୍ତ ଦେଓଗାଁ ବ୍ଲକର ସାଲେପାଲି ଠାରେ ଦେଖିବାକୁ ମିଳିଛି । ସାଲେପାଲି ଗ୍ରାମର ସରୋଜିନୀ ସାହୁ ଓ ତାଙ୍କର ସ୍ୱାମୀ ରୋହିତ ଭୋଇ । ରୋହିତ ଜଣେ ଦିନ ମଜୁରିଆ । ଦିନ ଯାକ ମୂଲ ଖଟି ଯାହା ଆଣନ୍ତି, ଉଭୟ ପ୍ରାଣୀ ତାକୁ ଭାଗବଣ୍ଟା କରି ଚଳନ୍ତି । ରାସନ କାର୍ଡ ଖଣ୍ଡିଏରୁ କିଛି ଚାଉଳ ମିଳିଯାଏ । କିନ୍ତୁ ଭାଇ ଭାଗ ପାଇଥିବା ଜମିରେ ଘର ଖଣ୍ଡିଏ କରିବାକୁ ସମ୍ବଳ ନାହିଁ । ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବ୍ଲକ ଅଫିସକୁ ଦଉଡି ଦଉଡି ହାଲିଆ । କିନ୍ତୁ କାହିଁକି କେଜାଣି କେବେ ବି ତାଙ୍କର ନାମ ଗ୍ରାମୀଣ ଗୃହ ଯୋଜନା ମଞ୍ଜୁରି ଲିଷ୍ଟରେ ଆସି ପାରୁନାହିଁ । ଏଭିତରେ ଚାରି ବର୍ଷ ବିତି ଯାଇଛି । ଭଙ୍ଗା କୁଡିଆର ଚାରିପଟେ ପିନ୍ଧା ଲୁଗା ଘୋଡାଇ ଉଭୟ ପ୍ରାଣୀ କେମିତି ଦିନ କାଟୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ପ୍ରଚଣ୍ଡ ଖରା କିମ୍ବା ବର୍ଷା ହେଲେ ଉଭୟ ପ୍ରାଣୀ ପାଖ ଘରକୁ ଯାଇ କିଛି ସମୟ ଅଶ୍ରା ନିଅନ୍ତି । ପ୍ରତ୍ୟେକ ବର୍ଷ ଘର ପାଇଁ ଆବେଦନ କଲେ ହେଁ ହାତଗୁଞ୍ଜା ଦେଇପାରୁ ନଥିବାରୁ ଲିଷ୍ଟରେ ନାମ ଚଢି ପାରୁ ନଥିବା ପାଖ ଲୋକ କୁହନ୍ତି ।

ସପ୍ତାହେ ପୂର୍ବରୁ ସ୍ଥାନୀୟ ବିଧାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ସାଲେପାଲି ଗସ୍ତରେ ଯାଇଥିବା ସମୟରେ ଉକ୍ତ ମହିଳା ତାଙ୍କ ଦୁଃଖ ବଖାଣି ଥିଲେ । କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ମହିଳାଙ୍କୁ କେବେ ଘର ଦିଆ ଯାଇ ପାରିବ, ତା’ଉପରେ ସଠିକ ଉତ୍ତର ବିଧାୟକଙ୍କୁ ଦେଇ ପାରି ନଥିଲେ । ସରକାରଙ୍କ ବିଭିନ୍ନ ଯୋଜନାରେ ଗରିବଙ୍କୁ ଗୃହ ଯୋଗଇ ଦେବା ଯୋଜନା ସତ୍ୱେ ସରୋଜିନୀ ଓ ରୋହିତ ବିଗତ ଚାରି ବର୍ଷ ହେଲା ବାସହୀନ ଭାବରେ ଲୁଗା ଟାଣି ମୁଣ୍ଡ ଗୁଞ୍ଜିବା ସରକାରଙ୍କ ଅସଲ ମୂଖା ଖୋଲି ଦେଇଛି । ଯଦି ସରକାର ତଥା ଜିଲ୍ଲା ପ୍ରସାଶନ ଦୁଇ ସପ୍ତାହ ମଧ୍ୟରେ ଏମାନଙ୍କୁ ଘର ଖଣ୍ଡିଏ ନଦିଅନ୍ତି, ତେବେ ସେ ନିଜ ତରଫରୁ ଘର ଖଣ୍ଡିଏ ଦେବେ ବୋଲି ଦମ୍ପତ୍ତିଙ୍କୁ ଆଶ୍ୱାସନା ଦେଇଥିଲେ ବିଧାୟକ । ଏହି ପ୍ରରିପ୍ରେକ୍ଷୀରେ ଆଜି ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର ଏବଂ ସ୍ଥାନୀୟ ନେତା ପପ୍ପୁ ପାତ୍ର ସାଲେପାଲି ଯାଇ ସରୋଜିନୀ ଓ ରୋହିତଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ବ୍ଲକ ପ୍ରଶାସନ ଦଶ ଦିନ ମଧ୍ୟରେ ଇନ୍ଦିରା ଆବାସ ଖଣ୍ଡିଏ ଯୋଗାଇ ନଦିଏ, ତେବେ ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରସ ଦଳ ପକ୍ଷରୁ ସେମାନଙ୍କୁ ଘର ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯିବ । ଏଠାରେ ସୂଚନା ଯୋଗ୍ୟ ଯେ, ସ୍ୱଚ୍ଛ ମିଶନ ଯୋଜନାରେ ପାଇଥିବା ଖଣ୍ଡିଏ ପାଇଖାନା ଭିତରେ ଡାଲି, ଚାଉଳ ଓ କିଛି କାଠ ତାଲା ଦେଇ ସାଇତି ରଖିଛନ୍ତି । ପାଇଖାନାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ନଥିବା ବେଳେ ଚାରିପଟେ ପିନ୍ଧା ଲୁଗା ଟାଙ୍ଗି ଆମେ ରହୁଛୁ, ପାଇଖାନାରେ ପାଣି ନାହିଁଁ । ତେଣୁ ପାଇଖାନା ବ୍ୟବହାର କରିବୁ କେମିତି ? ତେଣୁ ଖାଇବା ପାଇଁ ରଖିଥିବା ଚାଉଳ ଡାଲି ପାଇଖାନାରେ ଗଚ୍ଛିତ କରିଛୁ ବୋଲି ସରୋଜିନୀ କହିଛନ୍ତି । ତେବେ ସାଲେପାଲିର ରୋହିତ ଓ ସରୋଜିନୀ କେବେ ଘର ପାଇବେ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.