om academy

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା କାର : ଅଳ୍ପକେ ବର୍ତ୍ତିଲେ ୩ ଜଣ

jsm

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : କରଞ୍ଜିଆରୁ ଭୁବନେଶ୍ଵର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ହୁତୁହୁତୁ ହେଇ ଜଳିଯାଇଛି । କାରରେ ଥିବା ୩ ଜଣ ଯୁବକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ୩ ଜଣକୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ତେବେ ସୂଚନାରୁ ପ୍ରକାଶ ଯେ, କରଞ୍ଜିଆ ବ୍ଲକ ଟାଟୋ ଅଞ୍ଚଳରୁ ଚିତ୍ତରଞ୍ଜନ ନାୟକ(୨୨), ଝରଣ କୁମାର ମହାନ୍ତ(୩୦) ଓ କମଳକୃଷ୍ଣ ମହାନ୍ତ ଗୋଟିଏ ସୁଇପ୍ଟ ଡିଜାୟାର କାର ନମ୍ବର ଓଡି଼ ୧ସି ୪୧୨୨ ଯୋଗେ ବାହାଘର ପାଇଁ ମାର୍କେଟିଙ୍ଗ କରିବାକୁ କଟକ ଯାଉଥିବା ବେଳେ ଠାକୁରମୁଣ୍ଡା ଠାରୁ ୨ କିଲୋ ମିଟର ଦୂର ଚମକପୁର ନିକଟରେ ଦିନ ପ୍ରାୟ ୩ଟା ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟି ହୋଇ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କାର ଭିତରୁ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ କୌଣସି କାରଣରୁ କାରଟିରେ ନିଆଁ ଲାଗି ଜଳି ଯାଇଥିଲା । କାରରେ ନିଆଁ ଜଳିବା ଦେଖି ଲୋକେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାରର ନିଆଁକୁ ଆୟତ କରିଥିଲେ । ଦୁର୍ଘଟଣା ପରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଜଣଙ୍କ ମଧ୍ୟରୁ କମଳା କୃଷ୍ଣ ମହାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.