ଗୁଡଭେଲା, (ଅଜିତ କୁମାର ସାହୁ) ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଚିଂଚେଡ ଗ୍ରାମର କନ୍ଧେନବୁଢି ମହିଳା ସ୍ୱଂୟ ସହାୟକ ଦଳର ସଦସ୍ୟଙ୍କ ଅଜାଣତରେ ରୁଷୁଡା ପେକ୍ସ ସଂପାଦକ କାର୍ତ୍ତିକ ମଲ୍ଳିକ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୨ଲକ୍ଷ ୯ ହଜାର ୯୭ ଟଙ୍କା ହଡପ କରିଥିବା ଉକ୍ତ ସଂଘର ସଭାନେତ୍ରୀ କୁମାରୀ ଜାନୀ ଶୁକ୍ରବାର ତୁଷୁରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏନେଇ ଏବେ ପର୍ୟ୍ୟନ୍ତ କୈାଣସି ମାମଲା ରୁଜୁ ହୋଇ ନଥିବା ବେଳେ ତଦନ୍ତ ଚାଲିଥିବା ତୁଷୁରା ଥାନା ଏସଆଇ ତୁଳସୀରାମ ଶବର ପ୍ରକାଶ କରିଛନ୍ତି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ, ବ୍ଳକ ପ୍ରଶାସନ ପକ୍ଷରୁ ଏସଜିଏସୱାଇ ଯୋଜନାରେ ଗତ ୨୦୦୮ ମସିହାରେ ୩ଲକ୍ଷ ୪୨ ହଜାର ଟଙ୍କାର ଛେଳି ଚାଷ ପାଇଁ ଋଣ କରିଥିଲୁ । ସେଥି ମଧ୍ୟରୁ ଗୁହାଳ ତିଆରି କରିବା ପାଇଁ ୭୮ ହଜାର ଟଙ୍କା ଓ ଛେଳି କିଣିବା ପାଇଁ ଏକ ଲକ୍ଷ ଟଙ୍କା ତୁଷୁରା ସମବାୟ ବ୍ୟାଙ୍କରୁ ଉଠାଇଥିଲୁ । ବାକିଆ ଏକ ଲକ୍ଷ ୬୨ ହଜାର ଟଙ୍କା ବ୍ୟାଙ୍କ ଜମା ଖାତାରେ ରହିଥିଲା । କିଛି ଦିନ ପରେ ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ରୁଷୁଡା ପେକ୍ସର ସଂପାଦକ କାର୍ତ୍ତିକ ମଲ୍ଳିକ ଆମପାଖକୁ ଆସି କହିଥିଲେ ଯେ, ତମର ସଭା ଖାତା ଓ କେସିସି କାର୍ଡରେ କିଛି ତ୍ରୁଟି ଥିବା କହି ଆମଠୁ ମାଗି ନେଇ ଯାଇଥିଲେ । ପରେ ଉକ୍ତ ଖାତା ସଂପାଦକଙ୍କୁ ମାଗିଲେ ମଧ୍ୟ ନଦେବାରୁ ସଂଦ୍ଦେହ ଜାତ ହୋଇଥିଲା । ଏହା ପରେ ଗତ ୭ ତାରିଖରେ ତୁଷୁରା ସମବାୟ ବ୍ୟାଙ୍କକୁ ଯିବା ପରେ ବ୍ୟାଙ୍କ ଖାତାରେ ଟଙ୍କା ନଥିବାରୁ ଘଟଣା ଜଣାପଡିଲା । ଏହାପରେ ଭୟରେ ସଂପାଦକ ସଭା ବହି ଓ କେସିସି କାର୍ଡ ଆଉ କିଛି ରସିହ ପଠାଇ ଦେଇଥିଲେ । ଜାଲ ଦସ୍ତଖତ କରି ଟଙ୍କା ଉଠା ଯାଇଥିବା ସଭା ବହିରୁ ଜଣିବା ପରେ ତୁରନ୍ତ ଏନେଇ ଏକ ବୈଠକ କରିବା ସହ ଥାନାରେ ଏନେଇ ଅଭିଯୋଗ କରିବା ପାଇଁ ପ୍ରସ୍ତାବ ନିଆଯାଇଥିବା ସଂଘର ସଂପାଦିକା ଇନ୍ଦୁ ଭୁଏ, ଉତ୍ତରା ରଣା, ଗୁଲାପୀ ରଣା, ରୁକୁଣୀ ରଣା, ଯମୁନା ରଣା, ମଞ୍ଜୁ ସେଠ, ଦମଣୀ ରଣା ଆଦି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏପରି କିଛି ଦୁର୍ନୀତି ହୋଇ ନଥିବା ସହ ଆପଣମାନେ ମଧ୍ୟ ତଦନ୍ତ କରନ୍ତୁ ବୋଲି ପେକ୍ସ ସଂପାଦକ ମଲ୍ଳିକ ସଫାଇ ଦେଇଥିଲେ ।
