jayashree

କାର୍ତ୍ତିକ ମାସର ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ : ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ରୁଦ୍ରାଭିଷେକ ଓ ଯଜ୍ଞ କାର୍ଯ୍ୟକ୍ରମ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ଶୈବପୀଠ ଓ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଭୋର ସମୟରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଦେବଦେବୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଜଳାଭିଷେକ କରିଥିଲେ । ବିଶେଷକରି ବାଲିଗୁଡ଼ାର ବିରୁପାକ୍ଷ ମନ୍ଦିର ଓ ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ପୀଠ, ଚକାପାଦର ବିରୁପାକ୍ଷ ମନ୍ଦିର ଏବଂ ଡୁଙ୍ଗୀସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ବିଭିନ୍ନ ଅଞ୍ଚଳର ଜଗନ୍ନାଥ ମନ୍ଦିର ଓ ମା’ ପାଟଖଣ୍ଡା ମନ୍ଦିର, ରାଧାକୃଷ୍ଣ ମନ୍ଦିର ଭଳି ବିଭିନ୍ନ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଏହି ଅବସରରେ ଭୋଲେଶ୍ୱର ପୀଠରେ ସ୍ୱତନ୍ତ୍ର ରୁଦ୍ରାକ୍ଷ ବେଶ କରାଯାଇଥିଲା । ଭକ୍ତମାନେ ମହାଦେବଙ୍କ ନିକଟରେ ଜଳ, କ୍ଷୀର ଓ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରି ପରିବାରର ମଙ୍ଗଳ ଓ ସୁଖଶାନ୍ତି କାମନା କରିଥିଲେ । ଅନ୍ୟପକ୍ଷରେ କାର୍ତ୍ତିକ ମାସର ଧାର୍ମିକ ପରମ୍ପରା ଅନୁଯାୟୀ ବିଭିନ୍ନ ମନ୍ଦିର ପରିସରରେ ତୁଳସୀ ଚଉରା ନିକଟରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିସହ ବିଭିନ୍ନ ଯଜ୍ଞମଣ୍ଡପରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଆରମ୍ଭ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା । କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବାରୁ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ଏହି ଉତ୍ସାହ ଓ ଭକ୍ତିଭାବ ଧାର୍ମିକ ପରମ୍ପରା ପ୍ରତି ଅଞ୍ଚଳବାସୀଙ୍କ ଗଭୀର ଆସ୍ଥାକୁ ପ୍ରତିଫଳିତ କରିଥିଲା ।

Leave A Reply

Your email address will not be published.