
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବେଲପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉପସ୍ଥିତ ରହି ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ବିଭିନ୍ନ ସମସ୍ୟା ନେଇ ଶିବିରକୁ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜର ଅଭିଯୋଗ ଓ ଦାବି ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ଯାଞ୍ଚ କରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆୟୋଜିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୪୭ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ, ସେଥିମଧ୍ୟରୁ ୦୬ଟି ଗୋଷ୍ଠୀଗତ ଏବଂ ୪୧ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ଏହି ସମସ୍ତ ଅଭିଯୋଗର ତ୍ୱରିତ ଓ ସନ୍ତୋଷଜନକ ସମାଧାନ ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଶିବିର ସମାପ୍ତି ପରେ ଜିଲ୍ଲାପାଳ ବେଲପଡ଼ା ବ୍ଲକ ବାଗଦୋର ପଞ୍ଚାୟତର ଧରାଖାନ ପଡ଼ାଠାରେ ନିର୍ମାଣାଧୀନ ଗ୍ରାମୀଣ ଆବାସ କଲୋନୀ ପରିଦର୍ଶନ କରିଛନ୍ତି । ହାତୀ ଉପଦ୍ରବରେ ବାସହରା ହୋଇଥିବା ୨୫ଟି କ୍ଷତିଗ୍ରସ୍ତ ପରିବାରଙ୍କ ସୁରକ୍ଷିତ ଥଇଥାନ ପାଇଁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଅଧୀନରେ ଏହି କଲୋନୀ ନିର୍ମାଣ କରାଯାଉଛି । ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।