ଦେଓଗାଁ ହାତୀ ମୃତ୍ୟୁ ଘଟଣାକୁ ୨ସପ୍ତାହ : ରହସ୍ୟ ଘେରରେ ରତାଖଣ୍ଡି ଓ ଉପରଝର ହାତୀ ମୃତ୍ୟୁ : ୧୦ ବର୍ଷରେ ମଲେଣି ୯ ହାତୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଠଖାଇ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁକୁ ୨ ସପ୍ତାହ ବିତିଛି, ହେଲେ ହାତୀ ମୃତ୍ୟୁକୁ ନେଇ ଅନେକେ ବାଦ ବିବାଦ ଦେଖାଦେଇଛି । ଗୋଟିଏ ରେଞ୍ଜରେ ଦୁଇ ବର୍ଷ ଭିତରେ ଦୁଇଟି ହାତୀ ମୃତ୍ୟୁବରଣ କରିଥିବାରୁ ସହଜେ ଗ୍ରହଣ କରି ପାରୁନାହାନ୍ତି ସ୍ଥାନୀୟ ଲୋକ । ବରାହ ଫାଶରେ ପଡ଼ି ହାତୀ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକ କହୁଥିଲେ ବି ଏ ଦିଗରେ ତଦନ୍ତ କରିବାକୁ ନାରାଜ ଜଙ୍ଗଲ ବିଭାଗ । ଉପରଝର ଓ ରତାଖଣ୍ଡିରେ ହୋଇଥିବା ହାତୀ ମୃତ୍ୟୁ ବି ସେହି ବିଦ୍ୟୁତ ଜେଇ ତାର ଦ୍‌ଦ୍ୱାରା । କିନ୍ତୁ ବରାହ ଶିକାରୀଙ୍କ ଠାରୁ ଉପହାର ପାଉଥିବାରୁ ଏ ଦିଗରେ ଚୁପ ରହୁଛନ୍ତି ଜଙ୍ଗଲ ଅଧିକାରୀ ବୋଲି ସାଧାରଣରେ ଆଲୋଚନା ହେଉଛି । ଉପରଝର ହାତୀ ମୃତ୍ୟୁରେ କାର୍ୟ୍ୟାନୁଷ୍ଠାନ ଭାବେ ବିଭାଗ ଜଣେ ତଳିଆ କର୍ମଚାରୀକୁ ନିଲମ୍ବିତ କରି କାମ ସାରି ଦେଇଥିବା ବେଳେ ରତାଖଣ୍ଡି ହାତୀ ମୃତ୍ୟୁରେ କାର୍ୟ୍ୟାନୁଷ୍ଠାନ ବଦଳରେ ନୀରବତା ଅବଲମ୍ବନ କରାଯାଇଛି, ଯାହାକୁ ନେଇ ସନ୍ଦେହ ଦେଖାଦେଇଛି । ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲା କଣ୍ଟାମାଲ ବାରପହାଡ଼ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ତେଲ ନଦୀ ପାର ହୋଇ ବଲାଙ୍ଗିର ଜିଲ୍ଲା ଦେଓଗାଁ ଜଙ୍ଗଲ ଭିତରକୁ ପ୍ରବେଶ କରିଥାନ୍ତି ହାତୀପଲ । ଏମାନେ ବଲାଙ୍ଗିର ଓ ଦେଓଗାଁ ରେଞ୍ଜ ଅଞ୍ଚଳରେ ଘୁରି ବୁଲି ଚାଷ ଓ ପନିପରିବାକୁ ନଷ୍ଟ କରୁଛନ୍ତି । ଦୁଇ ବର୍ଷ ତଳେ ୨୦୧୮ ସେପ୍ଟେମ୍ବର ମାସ ୧୯ ତାରିଖରେ ବି ଗୋଟିଏ ମାଈ ହାତୀ କୁହିମୁଣ୍ଡା ନିକଟ ଏକ ମକା ବାଡ଼ିରେ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁବାଶ କରିଥିଲା । କିନ୍ତୁ ଗତ ସେପ୍ଟେମ୍ବର ମାସରେ ବି ସେହି ଅଞ୍ଚଳରେ ପୁଣି ଗୋଟିଏ ଚାଷ ଜମିରେ ପଡ଼ି ଗୋଟିଏ ହାତୀର ମୃତ୍ୟୁ ହୋଇଥିବାରୁ ଅଞ୍ଚଳରେ ସକ୍ରିୟ ଅଛନ୍ତି ବରାହ ଶିକାରୀ ବୋଲି ପ୍ରମାଣିତ ହେଉଛି । ଦେଓଗାଁ ଅଞ୍ଚଳରେ ଘୁରି ବୁଲୁଥିବା ୧୪ ପଟ ହାତୀରୁ ୨ ପଟ ହାତୀ ବିଛି‌ନ୍ନ ହୋଇଥିବା ନେଇ ଜଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଦୁଇ ପଟ ହାତୀର ଗତିବିଧାକୁ ବନ ବିଭାଗ ଅନୁସରଣ କରୁଥିଲା କି ନାହିଁ, ତାହା ତଦନ୍ତ ସାପେକ୍ଷ । ସମସ୍ତ ବିଷୟକୁ ତର୍ଜମା କଲେ ହାତୀର ସ୍ୱଭାବିକ ମୃତ୍ୟୁ ହୋଇନାହିିଁ । ମୃତ୍ୟୁ ନିଶ୍ଚିତ ଭାବେ ସନ୍ଦେହ ଘେରରେ । ପ୍ରତିଦିନ ବଲାଙ୍ଗିର ଓ ଦେଓଗାଁ ରେଞ୍ଜର ବଣ ଜଙ୍ଗଲ ଘେରା ଗାଁ ଗୁଡିକରେ ବନ୍ୟଜନ୍ତୁ ଶିକାରୀମାନେ ନିଜ ନିଜ ଦେଶୀ ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବନ ବିଭାଗ ଚୁପ୍‌ ରହୁଛି । ଯାହା ଫଳରେ ଜଙ୍ଗଲ ଭିତରେ ଗଜରାଜର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ଗତ ଦଶ ବର୍ଷ ଭିତରେ ବଲାଙ୍ଗିର ଜିଲ୍ଲାରେ ୯ ଟି ହାତୀ ବିଭିନ୍ନ ସ୍ଥାନରେ ମୃତ୍ୟୁ ବରଣ କରିଥିବା ସରକାରୀ ତଥ୍ୟ କହୁଛି । ହେଲେ ଏହି ହାତୀମାନେ ମଲେ କେମିତି ତାହା ରହସ୍ୟ ଘେରରେ ରହିଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ଜଙ୍ଗଲ ଅଧିକାରୀ କହୁଥିଲେ ବି ରିପୋର୍ଟ ସାର୍ବଜନୀନ କରୁ ନ ଥିବାରୁ ହାତୀ ମୃତ୍ୟୁ ରହସ୍ୟ ଘେରରେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.