ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଆଜି ଦିନିକିଆ ପଦ୍ମପୁର ଉପଖଣ୍ତ ଗ୍ରସ୍ତରେ ଆସି ପାଇକମାଲ ଏବଂ ଝାରବନ୍ଦ ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହିତ ବିଭିନ୍ନ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି । ପାଇକମାଲ ଗ୍ରସ୍ତ ସମୟରେ ରାଜସ୍ୱ କମିଶନର ପ୍ରଥମେ ନୃସିଂହନାଥକୁ ଯାଇ ସିଂହଦ୍ୱାର ବାହାରୁ ପ୍ରଭୁ ନୃସିଂହନାଥଂକୁ ଦର୍ଶନ ପୂର୍ବକ ମନ୍ଦିରର ସୁବିଧା ଅସୁବିଧା ସଂପର୍କରେ ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ପାଇକମାଲ ବିଡିଓ ସୁରେନ୍ଦ୍ର କୁମାର ମେହେରଙ୍କ ଠାରୁ ପଚାରି ବୁଝିଥିଲେ । ଏହା ପରେ ପରେ ଝାରବନ୍ଦ ବ୍ଲକ ଗ୍ରସ୍ତ ସମୟରେ କମାଣ୍ଡ ଏରିଆ ଡେଭଲପମେଣ୍ଟ ଏପ୍ରୋଚ ସିଏଡ଼ିଏ ମଧ୍ୟରେ ଅନ୍ତର୍ଭୁକ୍ତ ଟୁଙ୍ଗିଦାଦର ଗ୍ରାମ ପରି ଦର୍ଶନ କରି ପାଣି ପଞ୍ଚାୟତର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ ।

କମାଣ୍ଡ ଏରିଆ ପରି ଦର୍ଶନ ସମୟରେ କାଠା ସିଏଡ଼ିଏ ଡିଭିଜନ ସମ୍ବଲପୁର ନିର୍ବାହୀ ଯନ୍ତ୍ରୀ ତାପସ କୁମାର ବିଶ୍ବାଳ, ଏସଡିଓ ମନୋଜ କୁମାର ସେଠ ଉପସ୍ଥିତ ରହି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହାପରେ ରାଜସ୍ୱ କମିଶନର ଶ୍ରୀ ସାହୁ ଝାରବନ୍ଦ ବ୍ଲକ ପରିଦର୍ଶନ କରି ବ୍ଲକରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ୟ୍ୟକାରିତା ସଂପର୍କରେ ଝାରବନ୍ଦ ବିଡିଓ ରୁନୁ ଲାକ୍ରାଙ୍କ ଠାରୁ ପଚାରି ବୁଝି ଏହାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ଲକ ପରିସର ମଧ୍ୟରେ ରାଜସ୍ବ କମିଶନଙ୍କୁ ଝାରବନ୍ଦ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ ଓ ବ୍ଲକର କାର୍ୟ୍ୟକର୍ତ୍ତା ସ୍ବାଗତ ଜଣାଇଥିଲେ ।

ଏହାପରେ ପରେ ଝାରବନ୍ଦ ନାଗରିକ କମିଟି ଏବଂ ଅଞ୍ଚଳବାସୀଙ୍କ ତରଫରୁ ରାଜସ୍ୱ କମିଶନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଝାରବନ୍ଦ ବ୍ଲକରେ ସ୍ବାସ୍ଥ୍ୟ ସେବା, ଗମନାଗମନ ପାଇଁ ରାସ୍ତାର ଉନ୍ନତି କରଣ, ଶିକ୍ଷାନୁଷ୍ଠାରେ ଭିତ୍ତିଭୂମି ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ ପ୍ରଭୃତି ସମାଧାନ ପାଇଁ ନାଗରିକ କମିଟି ତଥା ଜନ ସାଧାରଣଙ୍କ ତରଫରୁ ରାଜସ୍ବ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ରାଜସ୍ୱ କମିଶନରଙ୍କ ବକ୍ତବ୍ୟରେ ଏକତା ଏବଂ ଭାଇଚାକୁ ବଜାୟ ରଖି ସମ୍ମିଳିତ ଭାବରେ ଅଞ୍ଚଳର ବିକାଶରେ ସହଭାଗୀ ହେବାକୁ ପରାମର୍ଶ ଦେବା ସହିତ ଝାରବନ୍ଦ ଅଞ୍ଚଳର ବିକାଶ ପାଇଁ ସେ ନିଶ୍ଚିତ ଭାବରେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ସାମ୍ପ୍ରତିକ କରୋନା ସ୍ଥିତିରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, କୋଭିଡ-୧୯ର ନିୟମାବଳୀ ଅନୁପାଳନ ପୂର୍ବକ ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରହିବାରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଝାରବନ୍ଦ ତହସିଲ ସ୍ତରରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ କାର୍ୟ୍ୟକ୍ରମର ସମୀକ୍ଷା କରିଥିଲେ । ଝାରବନ୍ଦ ତହସିଲଦାର ଶ୍ରୀମତୀ ସୀମା ସବିତା କୁଲୁ, ଅତିରିକ୍ତ ତହସିଲଦାର ପର୍ଶୁରାମ ପଣ୍ତା, ଝାରବନ୍ଦ ତହସିଲର ବିଭିନ୍ନ କାର୍ୟ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ।

ରାଜସ୍ୱ କମିଶନର କୋଭିଡ-୧୯ ନିୟମାନୁସାରେ ଏନଫୋର୍ସମେଣ୍ଟ କାର୍ୟ୍ୟକ୍ରମ, ରାଜସ୍ୱ ସଂଗ୍ରହ, ମ୍ୟୁଟେସନ କେଶର ଫଇସଲା, ପଟା ବଣ୍ଟନ, ସରକାରୀ ଜମି ଚିହ୍ନଟ ସହିତ ଏହାର ସୁରକ୍ଷା, ଭୂସଂସ୍କାର ଆଇନ-୧୯(୧) ଗ ଧାରା ମାଧ୍ୟମରେ ପାର୍ଟିସନ୍ ପ୍ରଭୃତି ଉପରେ ବିସ୍ତୃତ ଭାବରେ ଆଲୋଚନା କରି ଏହି କାର୍ୟ୍ୟକ୍ରମ ଗୁଡିକୁ ସମୟସୀମା ମଧ୍ୟରେ ସଂପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜସ୍ୱ କମିଶନରଙ୍କ ଏହି ଗ୍ରସ୍ତ ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବରଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.