ଆଗଲପୁର ବ୍ଲକ ପୂର୍ବତନ କଂଗ୍ରେସ ସଭାପତିଙ୍କ ଦେହାନ୍ତ

ଆଗଲପୁର, (ଦେବାଶିଷ ପଧାନ) : ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବେହେରାଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପ୍ରଥମେ ରେଙ୍ଗାଲି ସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷାଦାନ କରିଥିଲେ । କିଛିବର୍ଷ ଶିକ୍ଷାଦାନ କଲାପରେ ଶିକ୍ଷକ ପଦରୁ ଇସ୍ତଫା ପ୍ରଦାନ କରି ଆଗଲପୁର ପଞ୍ଚାୟତ ପ୍ରତିଷ୍ଠା ସମୟରେ ୬ ମାସ ପର୍ୟ୍ୟନ୍ତ ମନୋନୀତ ସରପଞ୍ଚ ହୋଇଥିଲେ । ସରପଞ୍ଚ ପଦବୀରୁ ଇସ୍ତଫା ଦେଲା ପରେ ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମ୍ପାଦକ ଦାୟିତ୍ୱ ତୁଳାଇଥିଲେ । ସେ ବ୍ଲକ କଂଗ୍ରେସର ଆଗଧାଡିର ଜଣେ ସଦସ୍ୟ ଥିବା ସମୟରେ କଂଗ୍ରେସ ତରଫରୁ ତାଙ୍କୁ ବ୍ଲକ ସଭାପତି ଭାବେ ମନୋନୀତ କରାଯାଇଥିଲା । ଆଗଲପୁର ସୂର୍ୟ୍ୟକଲ୍ୟାଣ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହେବା ସମୟରୁ ସେ ସମ୍ପାଦକ ଦାୟିତ୍ୱରେ ଥିଲେ । ରୋତଠାରେ ଥିବା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟର ମଧ୍ୟ ପ୍ରତିଷ୍ଠାତା ସଭ୍ୟ ଥିବାବେଳେ ବିଭିନ୍ନ ଅନୁଷ୍ଠାନ ତଥା ସମାଜ, ଅଞ୍ଚଳର ବିକାଶ କ୍ଷେତ୍ରରେ ସମ୍ପୃକ୍ତ ଥିଲେ । ତାଙ୍କ ମୃତ୍ୟୁ ଖବର ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁତ୍ର ରାଜେନ୍ଦ୍ର, ନଗେନ୍ଦ୍ର ଓ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ବଡପୁଅ ରାଜେନ୍ଦ୍ର ବେହେରା ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.