
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠଠାରେ ଶାରଦୀୟ ନବରାତ୍ରି ଅନୁଷ୍ଠାନର ପୂର୍ଣ୍ଣାହୁତି ଧାର୍ମିକ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି । ଏହି ଅବସରରେ ଆୟୋଜିତ ଦୁଇକୁଣ୍ଡୀୟ ଯଜ୍ଞରେ ୨୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସାମିଲ ହୋଇ ଯଜ୍ଞାହୁତି ପ୍ରଦାନ କରିଥିଲେ । ଗାୟତ୍ରୀ ପରିବାର, ବଲାଙ୍ଗିରର ସହଯୋଗରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସହରର ୨୫ ଜଣ ଗାୟତ୍ରୀ ସାଧନା କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ । ଗାୟତ୍ରୀ ପରିବାରର ସଦସ୍ୟ ଓ ମହିଳା ମଣ୍ଡଳର ସଦସ୍ୟାମାନେ ଯଜ୍ଞ ସମେତ ବିଭିନ୍ନ ଧାର୍ମିକ ବିଧିବିଧାନରେ ସହଯୋଗ କରିଥିଲେ । ଯଜ୍ଞ ଓ ପୂର୍ଣ୍ଣାହୁତି ମାଧ୍ୟମରେ ଆଧ୍ୟାତ୍ମିକ ଚେତନାର ଜାଗରଣ ସହ ଗାୟତ୍ରୀ ସାଧନା, ମାନବୀୟ ମୂଲ୍ୟବୋଧ ଓ ସାମାଜିକ ସଦ୍ଭାବନାର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଭକ୍ତି ଓ ସହଯୋଗ ମଧ୍ୟରେ ଶାରଦୀୟ ନବରାତ୍ରିର ଏହି ପବିତ୍ର ଅନୁଷ୍ଠାନ ସଫଳତାର ସହ ଉଦ୍ଯାପିତ ହୋଇଛି ।