
ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଟ ଅଫ୍ ଲିଭିଂ ପରିବାର ପରିଚାଳିତ ପଶ୍ଚିମ ଓଡିଶାର ବିଖ୍ୟାତ କଳା ସଂସ୍କୃତି ଅନୁଷ୍ଠାନ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ ଆନୁକୂଲ୍ୟରେ ଉନବିଂଶ ହେମନ୍ତ ମହୋତ୍ସବ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ଅଧିବେଶନରେ ଗତ ଚାରିଦିନ ଧରି ଜାରି ରହିଥିବା ଓଡିଶୀ ସଙ୍ଗୀତ କର୍ମଶାଳାର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଇସ୍ପାତ ଜେନେରାଲ୍ ହସ୍ପିଟାଲର ପ୍ରାକ୍ତନ ସ୍ତ୍ରୀ ରୋଗ ବିଭାଗ ମୁଖ୍ୟ ଡା. ପ୍ରତିଭା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ମହୋତ୍ସବର ସାନ୍ଧ୍ୟ ଅଧିବେଶନରେ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ(ପ୍ରକଳ୍ପ) ସୁଦୀପ୍ ପାଲ୍ ଚୌଧୁରୀ ମୁଖ୍ୟ ଅତିଥି, ଚୈତନ୍ୟ ବିଜ୍ଞାନ ମହାବିଦ୍ୟାଳୟର ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ମଲ୍ଲ , ସ୍ଥାନୀୟ ରାଜପଥ ମୋଟରସର ନିର୍ଦ୍ଦେଶକ ବିଶ୍ୱରଞ୍ଜନ ବେହୁରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଗଣଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ପରେ ଅନୁଷ୍ଠାନର ଉପାଧ୍ୟକ୍ଷ ଆର୍ଟ ଅଫ୍ ଲିଭିଂର ବରିଷ୍ଠ ପ୍ରଶିକ୍ଷକ ରଶ୍ମି ରଞ୍ଜନ ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ତାଙ୍କ ଅଭିଭାଷଣରେ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ମାର୍ଗ ଦର୍ଶନରେ ସମଗ୍ର ବିଶ୍ୱରେ ଆର୍ଟ ଅଫ୍ ଲିଭିଂ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ଯେଉଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ତାର ବର୍ଣ୍ଣନା କରିଥିଲେ ଏବଂ ଉତ୍କଳୀୟ ଗାନ୍ଧର୍ବ କଳାର ପ୍ରୋତ୍ସାହନ ଦିଗରେ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ ଯେଉଁ ସବୁ ନିରବିଚ୍ଛିନ୍ନ ପ୍ରୟାସ କରି ଆସିଛି ତାର ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଲ୍ ଚୌଧୁରୀ କଳା ସଂସ୍କୃତି କ୍ଷେତ୍ରରେ ଶ୍ରୀ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟର ଅବଦାନର ଉଚ୍ଚ ପ୍ରସଂଶା କରିଥିଲେ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଦୁଇ ଜଣ ବିଶିଷ୍ଟ କଳାକାରଙ୍କୁ ହେମନ୍ତ ମହୋତ୍ସବ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ଏବଂ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଓଡିଶୀ କଣ୍ଠଶିଳ୍ପୀ ମୀନତି ପାଣିଗ୍ରାହୀଙ୍କୁ ଏବର୍ଷର ହେମନ୍ତ ମହୋତ୍ସବ ସମ୍ମାନ ପ୍ରଦାନ କରାଯାଇଛି । ଛନ୍ଦ ବଦ୍ଧ କବିତା ଏବଂ ଗୀତି କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ ତଥା କବି ପ୍ରଶାନ୍ତ କୁମାର ପତିଙ୍କୁ ରସାନନ୍ଦ ‘ଦାସ ରସ ଶିରୋମଣୀ ସମ୍ମାନ’ ମୁଖ୍ୟଅତିଥି ପ୍ରଦାନ କରିଥିଲେ । ଭଜନ ଓ ଭକ୍ତି ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର ବିଶିଷ୍ଟ ଭଜନ ଗାୟକ ଲକ୍ଷ୍ମୀଧର ସାହୁଙ୍କୁ ଏବର୍ଷ ର ‘ଅଭିନ୍ନ ଚନ୍ଦ୍ର କଳା ସମ୍ବର୍ଦ୍ଧନ ସମ୍ମାନ’ ରୂପେ ମାନପତ୍ର, ଶାଲ ଏବଂ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଗୁରୁ ଜଗନ୍ନାଥ ଦାସଙ୍କ ମାର୍ଗ ଦର୍ଶନରେ ୫୦ ଜଣ ଛାତ୍ରଛାତ୍ରୀଙ୍କ ବୃନ୍ଧ ତବଲା ବାଦନ ବେଶ୍ ମନଛୁଆଁ ହୋଇଥିଲା । ଗୁରୁ ସ୍ମିତା ପାଣିଙ୍କ ନିର୍ଦ୍ଦେଶନାରେ ଓଡିଶୀ ଏବଂ ଲୋକନୃତ୍ୟ ମଧ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ଏବଂ ସାଥୀ କଳାକାର ମାନଙ୍କ ବୃନ୍ଦ ତବଲା ବାଦନକୁ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରିଥିଲେ । ଗୁରୁ ପ୍ରଫୁଲ୍ଲ ମଙ୍ଗଳଙ୍କ ତତ୍ତ୍ଵାବଧାନରେ ଓଡିଶୀ ବୃନ୍ଦ ଗାୟନ ଅନୁଷ୍ଠିତ ହୋଇଥିଲା । ସୁଶ୍ରୀ ଶ୍ରେୟସୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନ ଆର୍ଟର ସଂସ୍କୃତି ସମ୍ପାଦକ ଅନିଲ କୁମାର ମଲ୍ଲିକ ଓ ଉପାଧ୍ୟକ୍ଷ ରଶ୍ମୀ ରଞ୍ଜନ ଦାସ ମାନପତ୍ର ପାଠ କରିଥିଲେ । ଆର୍ଟ ଅଫ୍ ଲିଭିଂ ପରିବାରର ଶୁଭେନ୍ଦୁ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ସେନାପତି, ସମୀର କୁମାର ପଟ୍ଟନାୟକ ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।