
ଖୋର୍ଦ୍ଧା : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଏକ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚିଲିକା ଓ ନଦୀରେ ମାଛ ଧରିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ୫୩୯ ଜଣ ଗର୍ଭବତୀଙ୍କୁ ଆବଶ୍ୟକସ୍ଥଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାରେ ୫୧ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓ ୩୭୯ଟି ଅନ୍ୟ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ଜରୁରିକାଳୀନ ପରିସ୍ଥିତି ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବା ବେଳେ ୮ଟି ମୋଟରଚାଳିତ ଡଙ୍ଗା ମୁତୟନ କରାଯାଇଛି । ଏଥିସହ ଚାଉଳ, ଚୁଡ଼ା, ଗୁଡ଼, ପଲିଥିନ୍ ଓ ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳ ଉପରେ ନଜର ରଖିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।